ଦୁବାଇ: ପାକିସ୍ତାନ ୧୯ ବର୍ଷରୁ କମ୍ ଏସିଆ କପର ନୂତନ ଚାମ୍ପିଅନ୍ ହୋଇଛି। ଆଉ ଭାରତର ଟାଇଟଲ୍ ଜିତିବାର ସ୍ଵପ୍ନ ହୋଇଛି ଚୂରମାର। ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଟାଇଟଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି ନିରାଶ କରିଥିଲେ।
ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୧୦ ବଲ୍ରେ ୨୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଆୟୁଷ ମହାତ୍ରେ ମାତ୍ର ଦୁଇଟି ରନ କରି ପୁଣି ନିରାଶ କରିଥିଲେ। ୬ ଜଣ ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୧୦ ନମ୍ବରରେ ବ୍ୟାଟିଂ କରୁଥିବା ଦୀପେଶ ଦେବେନ୍ଦ୍ରନ୍ ସର୍ବାଧିକ ୧୬ ବଲ୍ରେ ୩୬ ରନ କରି ରନ କରିଥିଲେ। ଶେଷରେ ଭାରତ ୨୬.୨ ଓଭରରେ ୧୫୬ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନ ପକ୍ଷରୁ ଅଲି ରାଜା ୪୨ ରନ ଦେଇ ୪ ୱିକେଟ୍ ନେଇଥିଲେ। ମହମ୍ମଦ ସୟାମ, ଅବଦୁଲ ସୁଭାନ ଏବଂ ହୁଜୈଫା ଏହସାନ ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ।
ପାକିସ୍ତାନ ଦ୍ୱାରା ଧାର୍ଯ୍ୟ ୩୪୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି, ଭାରତର ପ୍ରଥମ ୱିକେଟ୍ ତୃତୀୟ ଓଭରରେ ୩୨ ରନ ସ୍କୋରରେ ହରାଇଥିଲା। ଅଧିନାୟକ ଆୟୁଷ ମହାତ୍ରେ ସାତ ବଲରେ ଦୁଇ ରନ କରି ଆଉଟ ହୋଇଥିଲେ। ଏହା ପରେ ଆରୋନ୍ ଜର୍ଜ ନଅ ବଲରେ ୧୬ ରନ କରି ବିଦାୟ ନେଇଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ସେ ୧୦ ବଲରୁ ୨୬ ରନ କରି ଆଉଟ୍ ହୋଇଥିଲେ। ଏଥିରେ ଗୋଟିଏ ଚୌକା ଏବଂ ତିନୋଟି ଛକା ସାମିଲ।
ଭାରତୀୟ ଟପ୍-ଅର୍ଡର ବ୍ୟାଟରଙ୍କ ମଧ୍ୟରୁ କୌଣସି ବି ବ୍ୟାଟର ଲମ୍ବା ଇନିଂସ ଖେଳି ପାରି ନଥିଲେ। ଦ୍ରୁତ ରନ କରିବା ଚକ୍କରରେ ସମସ୍ତେ ଆଉଟ ହୋଇଥିଲେ। ବେଦାନ୍ତ ତ୍ରିବେଦୀ ୧୪ ବଲରେ ୯ ରନ, ଅଭିଜ୍ଞାନ କୁଣ୍ଡୁ ୨୦ ବଲରେ ୧୩, କନିଷ୍କ ଚୌହାନ ୨୩ ବଲରେ ୯ ଏବଂ ଖିଲାନ ପଟେଲ ୨୧୩ ବଲରେ ୧୯ ରନ କରି ପାଭିଲିୟନ ଫେରିଥିଲେ। ହେନିଲ ପଟେଲଙ୍କ ପରେ ଦୀପେଶ ଦେବେନ୍ଦ୍ରନ ୩୬ ରନ କରିଥିଲେ।
ଏହା ପୂର୍ବରୁ, ପାକିସ୍ତାନର ଓପନର ସମୀର ମିନହାସ ୧୧୪ ବଲରେ ୧୭ ଚୌକା ଏବଂ ୯ ଛକା ସହିତ ୧୭୨ ରନର ଏକ ଧମାକାଦାର ଇନିଂସ ଖେଳିଥିଲେ। ଫାଇନାଲରେ ସମୀର ମାତ୍ର ୭୧ ବଲରେ ତାଙ୍କର ଶତକ ପୂରଣ କରିଥିଲେ। ସମୀରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ପାକିସ୍ତାନ ଟାଇଟଲ୍ ମୁକାବିଲାରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୪୭ ରନ୍ କରିଥିଲା।