ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ଯୁଦ୍ଧ ସାଇରନ୍ ବାଜିଛି। ଚଣ୍ଡିଗଡ଼ରେ ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କୁ ପୂର୍ବରୁ ସଚତେନ କରାଯାଇଛି। ଡେପୁଟି କମିଶନର ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହିତ ଘରର ବାଲକୋନୀରୁ ଦୂରେଇ ରହିବା ଓ ଘରର ଝରକା କବାଟ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ଲୋକଙ୍କୁ ଭୟଭୀତ ନ ହୋଇ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷାକର୍ମୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହିତ ପୋଲିସ ପାଟ୍ରୋଲିଂ ବୃଦ୍ଧି କରାଯାଇଛି।
ସୀମାବର୍ତ୍ତୀ ସେକ୍ଟରଗୁଡ଼ିକ ମୋହାଲିରେ ଲୋକମାନଙ୍କୁ ଘର ଭିତରେ ରହିବା ଏବଂ ଝରକା ପାଖରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ମୋହାଲି ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭଗତ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି। ଆକାଶ ସୀମା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ର ସିଇଓ କହିଛନ୍ତି ।
ଗୁରୁବାର ରାତିରେ ଭାରତୀୟ ସେନା ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଉତ୍ତର ଓ ପଶ୍ଚିମ ଭାରତର ୧୫ଟି ସହରକୁ ଟାର୍ଗେଟ କରିବାର ପାକିସ୍ତାନୀ ସୈନ୍ୟଙ୍କ ପ୍ରୟାସକୁ ପଣ୍ଡ କରିବାରେ ସଫଳ ହୋଇଥିଲେ। ଶୁକ୍ରବାର ସକାଳେ ପାକିସ୍ତାନୀ ସୈନ୍ୟମାନେ କୁପୱାରା ଏବଂ ଉରି ସମେତ ନିୟନ୍ତ୍ରଣ ରେଖା ଟପି ଭାରତୀୟଙ୍କ ଉପରେ ଗୁଳିଚାଳନା ଆରମ୍ଭ କରିଥିଲେ। ଶତ୍ରୁପକ୍ଷର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିବା ସମୟରେ ଭାରତୀୟମାନଙ୍କୁ ସତର୍କ ଓ ସଜାଗ କରିବା ପାଇଁ ସାଇରନ୍ ବାଜିବା ଏବଂ ଅଧିକାଂଶ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି।