Home >
ଟ୍ରମ୍ପ-ମୋଦୀ କରିବେ ୨୨ କିଲୋମିଟର ରୋଡ ଶୋ’, ୨୪ରେ ଜୁଟିବେ ୫୦ ହଜାର ଲୋକ
Khabar Odisha:Nation-Preparations-on-for-22km-road-show-of-UP-President-Donald-Trump-and-PM-Modi-roadshow-in-Ahmedabad

ଅହମଦାବାଦ, ଫେବୃଆରୀ ୧୫ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଅହମଦାବାଦରେ ୨୨ କିଲୋମିଟର ଲମ୍ବ ରୋଡ ଶୋ’ କରିବେ । ଅହମଦାବାଦ ସିଟି ମେୟର ବିଜଲ ପଟେଲ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଓ ମୋଦୀ ଆଗାମୀ ଫେବୃଆରୀ ୨୪ରେ ଏହି ରୋଡ ଶୋ’ରେ ଯୋଗଦେବେ । ଏହି ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି । 

ମେୟର କହିଛନ୍ତି କି ସହରକୁ ଆସିଥିବା କୌଣସି ଉଚ୍ଚ ପଦାଧିକାରୀଙ୍କ ପାଇଁ ବୋଧେ ଏହା ହେବ ସବୁଠାରୁ ଲମ୍ବ ରୋଡ ଶୋ’ । ଅଧିକାରୀଙ୍କ ଦ୍ୱାରା ଅହମଦାବାଦ ନଗର ନିଗମ (ଏଏମସି)କୁ ରୁଟ ପ୍ଲାନ ଅନୁସାରେ ଟ୍ରମ୍ପ ଓ ମୋଦୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ସାବରମତୀ ଆଶ୍ରମ ଯିବେ । ଆଶ୍ରମରୁ ଦୁଇ ନେତା ବିମାନବନ୍ଦର ନିକଟରେ ଥିବା ଇନ୍ଦିରା ବ୍ରିଜ, ଏସପି ରିଙ୍ଗରୋଡ ଦେଇ ମୋତେରାରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମ ପହଞ୍ଚିବେ । ଏଠାରେ କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହି କ୍ରିକେଟ ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ ସିଟ ଅଛି । 

ପଟେଲ କହିଛନ୍ତି, ଏହି ୨୨ କିଲୋମିଟର ଲମ୍ବ ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ଆଶା ଦେଖାଯାଉଛି । କାରଣ ଅହମଦାବାଦ ପାଇଁ ବୋଧେ ଏହା ହେଉଛି ସବୁଠାରୁ ଦୀର୍ଘତମ ରୋଡ ଶୋ’ । ରୋଡ ଶୋ’ରେ ୩୦୦ ସଂଗଠନ ଏବଂ ଏନଜିଓର ସ୍ୱେଚ୍ଛାସେବୀ ଯୋଗ ଦେବେ । ପଟେଲ ଏଏମସି ଅଧିକାରୀଙ୍କ ସହ ଶୁକ୍ରବାର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ସଂଗଠନର ପ୍ରତିନିଧିଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି । 

ବିଜେପି ନେତା କହିଛନ୍ତି, ରୋଡ ଶୋ’ ସମୟରେ ବିଭିନ୍ନ ରାଜ୍ୟର ଲୋକେ ପାରଂପରିକ ବେଶରେ ଦେଖାଯିବେ । ସୂଚନାଯୋଗ୍ୟ, ଚଳିତ ସପ୍ତାହର ଆରମ୍ଭରେ ଘୋଷଣା ହୋଇଥିବା ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତରେ ଅହମଦାବାଦରେ ଫେବୃଆରୀ ୨୪ରେ ରୋଡ ଶୋ’ ହେବ ବୋଲି କୁହାଯାଇଥିଲା । ଏହି ରୋଡ ଶୋ’ରେ ଟ୍ରମ୍ପ ଓ ମୋଦୀ ମୁଖ୍ୟ ଆକର୍ଷଣ ରହିବେ ବୋଲି କୁହାଯାଇଥିଲା । 

 

  • Tags:

Subscribe

National International State Sports Entertainment