ନୂଆପଡ଼ା: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଓଡ଼ିଶା-ଛତିଶଗଡ଼ ସୀମାରେ ଠାବ କଲେ ମାଓ କ୍ୟାମ୍ପ। କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ରହିଛି।
ନୂଆପଡା ଜିଲ୍ଲା ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ଡିଭିଏଫ୍ ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। IED, ଜିଲୋଟିନ୍ ଓ ଡେଟୋନୋର ଜବତ ହୋଇଛି। କିନ୍ତୁ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି ।
ସୂଚନା ଥାଉକି ସୋମବାର ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଏହି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବିଜିଏନ ସଙ୍ଗଠନ ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, ୨୦୧୬ରେ କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ୨୦୧୧ରେ ସାମିଲ ହୋଇଥିବା ଆଡମୋ ମାଧବୀ ଓରଫ ମଞ୍ଜୁ । ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ । ଲାଲବାହିନୀର ଝାଡଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାର୍ଯ୍ୟ କରୁଥିଲେ ।