ଇସଲାମାବାଦ, ମେ ୧୬ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜର ହତ୍ୟା ଆଶଙ୍କା କରିଛନ୍ତି । ଏଥି ପାଇଁ ସେ ନିଜର ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଫୈସଲାବାଦଠାରେ ଏକ ରାଲି କରିଛନ୍ତି । ଏହି ରାଲିରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ହତ୍ୟା କରାଯାଏ, ତା’ହେଲେ ତାଙ୍କୁ ନ୍ୟାୟ ଦିଆଯାଉ । ଏଥି ସହିତ ସେ ନୂଆ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଦେଶର ଅର୍ଥବ୍ୟବସ୍ଥା ରୋଗଗ୍ରସ୍ତ ହୋଇଛି । କ’ଣ ବର୍ତ୍ତମାନର ପିଏମ୍ଏଲ୍-ଏନ୍ ସରକାରଙ୍କ ନେତୃତ୍ୱରେ ମେଣ୍ଟ ସରକାର ଏହାକୁ ସ୍ୱାଭାବିକ କରିପାରିବ ।
ଇମ୍ରାନ୍ ଖାନ କହିଛନ୍ତି ଏହି ଷଡ଼ଯନ୍ତ୍ର ପାକିସ୍ତାନ ଓ ବିଦେଶରେ ହେଉଛି । ଏଥି ସହିତ ଇମ୍ରାନ କହିଛନ୍ତି ଯେ, ତାଙ୍କୁ ଜଣା ଅଛି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର କିଏ କରୁଛି । ମୁଁ ଏକ ଭିଡିଓ ରେକର୍ଡିଂ କରିଛି । ଏଥିରେ ସେହି ଲୋକମାନଙ୍କର ନାମ ଉଜାଗର କରାଯାଇଛି, ଯେଉଁମାନେ କି ଷଡ଼ଯନ୍ତ୍ରରେ ସଂପୃକ୍ତ ଅଛନ୍ତି । ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଭିଡିଓକୁ ସର୍ବସାଧାରଣଙ୍କ ସାମ୍ନାକୁ ଆସିବ ।
ସୂଚନାଯୋଗ୍ୟ କ୍ଷମତା ହରାଇବା ପୂର୍ବରୁ ମଧ୍ୟ ଇମ୍ରାନ୍ କହିଥିଲେ ଯେ, ତାଙ୍କ ଜୀବନ ପ୍ରତି ବିପଦ ଅଛି । କ୍ରିକେଟରରୁ ନେତା ହୋଇଥିବା ଇମ୍ରାନ୍ ଖାନ ଗତ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତା ହରାଇଥିଲେ । ସେ ଅଭିଯୋଗ ଆଣିଥିଲେ ଯେ, ଆମେରିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଖେଳୁଛି । ଏହି ଖେଳର ମାଷ୍ଟରମାଇଣ୍ଡ ହେଉଛି ଆମେରିକା ।