ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତର ରାଫେଲ ବିମାନକୁ ମାରି ଖସାଇବା ପାକିସ୍ତାନର ଦାବିର ପୋଲ୍ ଖୋଲିବାରେ ଲାଗିଛି । ଏବେ ଲଢୁଆ ବିମାନ ନିର୍ମାତାକାରୀ କମ୍ପାନି ସ୍ପଷ୍ଟ କରିଛି ଯେ, ପାକିସ୍ତାନ ଭାରତର କୌଣସି ବି ରାଫେଲ ବିମାନ ଖସାଇ ନାହିଁ । ଏହା ପୂର୍ବରୁ ଏକ ସାକ୍ଷାତକାରରେ ଭାରତର ପ୍ରତିରକ୍ଷା ସଚିବ ମଧ୍ୟ ଏହା କହିଥିଲେ । ପହଲଗାମ ଆତଙ୍କବାଦୀ ହମଲା ଜବାବରେ ଭାରତ ମେ ୭ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନର ଅନେକ ଆତଙ୍କୀ କେନ୍ଦ୍ର ଉପରେ ହମଲା କରି ଧ୍ୱସ୍ତ କରିଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ୱେବସାଇଟ୍ Avion de chasseକୁ ଦସାଲ୍ଟ ଏଭିଏସନର ଅଧ୍ୟକ୍ଷ ତଥା ସିଇଓ ଏରିକ ଟ୍ରାପିୟର କହିଛନ୍ତି ଯେ, ଗୋଟିଏ ରାଫେଲ ଜେଟ୍ ବହୁ ଉଚ୍ଚକୁ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଆସିଥିଲା । ଯାହା ଫଳରେ ବିମାନଟି କ୍ରାସ ହୋଇଥିଲା । କିନ୍ତୁ ସଂଘର୍ଷ ସମରେ କୌଣସି ବି ଲଢୁଆ ବିମାନ ଖସି ନ ଥିଲା ।
ସିଏନବିସି ଟିଭି ୧୮ ସହ ସ୍ୱତନ୍ତ୍ର ଆଲୋଚନାରେ ପ୍ରତିରକ୍ଷା ସଚିବ ଆରକେ ସିଂ କହିଛନ୍ତି, ଏହା କହିବା ଭୁଲ୍ ହେବ ଯେ, ଅପରେସନ ସିନ୍ଦୂର ସମୟରେ ଭାରତର ରାଫେଲ ବିମାନକୁ ମାରି ଖସା ଯାଇଥିଲା । ସେ କହିଛନ୍ତି, ଆପଣ ରାଫେଲ ଶବ୍ଦର ବ୍ୟବହାର ବହୁବଚନ ଭାବେ କରିଛନ୍ତି । ମୁଁ ଆପଣଙ୍କୁ ଭରସା ଦେଇ ପାରିବି ଯେ, ଏହା ସତ୍ୟ ନୁହେଁ । ଭାରତ ତୁଳନାରେ ପାକିସ୍ତାନର ଧନଜୀବନ ବହୁତ କ୍ଷତି ଘଟିଛି । ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସେ କହିଛନ୍ତି, ଭାରତୀୟ ସେନାକୁ ଅପରେସନ ସିନ୍ଦୂର ସମୟରେ ପୂରା ସ୍ୱାଧୀନତା ଦିଆଯାଇଥିଲା । ଆମର ସଶସ୍ତ୍ର ବଳ ଉପରେ କୌଣସି ରାଜନୈତିକ ରୋକ ନ ଥିଲା ଏବଂ ସେମାନଙ୍କୁ ଯେ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପୂରା ସ୍ୱାଧୀନତା ଦିଆଯାଇଥିଲା ।
ଚୀନ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୈନ୍ୟ ସଂଘର୍ଷ ପରେ ଫ୍ରାନ୍ସ ନିର୍ମିତ ରାଫେଲ ଲଢୁଆ ବିମାନର ପ୍ରଦର୍ଶନ ବିଷୟରେ ଗୁଜବ ପ୍ରଚାର କରିବାକୁ ନିଜର ଦୂତାବାସକୁ ଦାୟିତ୍ୱ ଦେଇଥିଲା । ଯଦ୍ୱାରା ବିମାନର ପ୍ରତିଷ୍ଠା ଓ ବିକ୍ରି ଉପରେ ନକରାତ୍ମକ ପ୍ରଭାବ ପଡିବ । ଫ୍ରାନ୍ସର ସୈନ୍ୟ ଓ ଗୁଇନ୍ଦା ଅଧିକାରୀ ବିସ୍ତୃତ ଯାଞ୍ଚ ଓ ସମୀକ୍ଷା ପରେ ଏହି ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ପାକିସ୍ତାନ ଗୋଟିଏ ବି ରାଫେଲ ବିମାନକୁ ମାରି ଖସାଇ ନାହିଁ । କେବଳ ଗୋଟିଏ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ କ୍ରାସ ହୋଇଥିଲା ।