ଜଗତସିଂହପୁର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜଣେ ଡାକ୍ତର । ଉକ୍ତ ବାବୁ ଜଣକ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶିବ ପ୍ରସାଦ ସେଠୀ । ଜଣେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର ଶିବ ପ୍ରସାଦ ସେଠୀ ଟଙ୍କା ମାଗି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ସୂଚନା ଅନୁସାରେ, ଗତ ଜୁନ ୧୪ ତାରିଖରେ କୁଜଙ୍ଗ ଥାନା ଅନ୍ତର୍ଗତ ସାହାରାଡ଼ିଆ ଗ୍ରାମର ମଧୁସ୍ମିତା ସାହୁ ନାମକ ଜଣେ ମହିଳାଙ୍କର ବିଷ ପିଇ ମୃତ୍ୟୁ ହୋଇଥିଲା । ଏନେଇ ଶବ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶିବ ପ୍ରସାଦ ସେଠୀ ଶବ ବ୍ୟବଚ୍ଛେଦ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାରେ ଡାକ୍ତର ବିଳମ୍ବ କରିବାରୁ ମୃତା ମହିଳାଙ୍କ ସ୍ବାମୀ ଶ୍ରୀତମ ବେହେରା ବୀମା ରାଶି ପାଇବା ନିମନ୍ତେ ଡାକ୍ତର ସେଠୀଙ୍କୁ ଅନୁରୋଧ କରିଥିଲେ । ମାତ୍ର ଡାକ୍ତର ସେଠୀ ସକାରାତ୍ମକ ରିପୋର୍ଟ ପ୍ରଦାନ ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ।
ଏତେ ଟଙ୍କା ଡାକ୍ତର ଦାବି କରିବାରୁ ଶ୍ରୀତମ ବେହେରା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏନେଇ ପୂର୍ବ ଯୋଜନା ମୁତାବକ ଡାକ୍ତର ଜଣକ ତାଙ୍କ କଟକ ସ୍ଥିତ କ୍ଲିନିକର ଜଣେ କର୍ମଚାରୀ ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ୫ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି ।