କେନ୍ଦ୍ରାପଡ଼ା : ଆସନ୍ତା ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ଧାର୍ଯ୍ୟ କରାଯାଇଥାଏ । ଶୀତ ଅଧିକ ହେଲେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ଆସି ପଡ଼ି ରହିଥାନ୍ତି । ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ି ନଥାଏ । ତେଣୁ ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ମୁଖ୍ୟତଃ ପର୍ଯ୍ୟଟକମାନେ ବାଟରେ ଆସିବା ସମୟରେ କୁମ୍ଭୀରମାନେ ନଦୀପଠାରୁ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ବନ୍ଦ କରାଯାଇ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ । ଏଥିପାଇଁ ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ହିଁ ଗଣନାକାରୀ ଦଳ ଗଠନ କରାଯିବ ଏବଂ ଏହାପରେ କୁମ୍ଭୀର ଗଣନା ଆରମ୍ଭ କରାଯିବ ବୋଲି ସୂଚନା ରହିଛି ।