ଭୁବନେଶ୍ୱର : ବହୁ ପ୍ରତିକ୍ଷିତ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ବର୍ତ୍ତମାନ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁରୁବାର ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୬୫ କିଲୋମିଟର ବିଶିଷ୍ଟ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେହି ସଂସ୍ଥା ଆର୍ଥିକ ରୂପେ ଦୁର୍ବଳ ଥିବା କାରଣରୁ ନିର୍ମାଣ କାମରେ ବିଳମ୍ବ ହୋଇଥିଲା। ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ରାସ୍ତା କାର୍ଯ୍ୟ ଶେଷ ହୋଇଯିବ।
ସୂଚନା ଅନୁଯାୟୀ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ୨୦୧୭ରେ ଆରମ୍ଭ ହୋଇଥିଲା । ଏହି ରାଜପଥ ଡବଲ ଲେନ୍ରୁ ଚାରି ଥାକିଆ କରାଯାଉଛି । ୨୬୫ କିଲୋମିଟର ଏହି ଜାତୀୟ ରାଜପଥର ନିର୍ମାଣ କାମ ୨୦୨୦ରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପର ଅନେକ ସ୍ଥାନରେ ଜଙ୍ଗଲ ଜମି ଥିବା, କରୋନା ସମୟରେ ନିର୍ମାଣ କାମ ପ୍ରଭାବିତ ହେବା ଓ ଠିକା ସଂସ୍ଥା ଦ୍ବାରା ଧୀମା ଗତିରେ କାମ ଯୋଗୁ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତାକାମ ଶେଷ ହୋଇପାର ନାହିଁ । ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା । ଆଗାମୀ ଗୋଟିଏ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ । ୨୦୩୬ ଏବଂ ୨୦୪୭କୁ ଆଖିରେ ରଖି ସବୁ ପ୍ରମୁଖ ଅଞ୍ଚଳ, ବାଣିଜ୍ୟ ଅଞ୍ଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି।
ରାଜ୍ୟରେ ଥିବା ଜାତୀୟ ରାଜପଥର ପ୍ରକଳ୍ପର ଗତି ଏବଂ ଏହା କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ସମୀକ୍ଷା ହୋଇଛି। ଚଳିତ ବର୍ଷ କେନ୍ଦ୍ର ସରକାର ୧୩ ହଜାର କୋଟି ଟଙ୍କାର ନୀତିଗତ ଅନୁମୋଦନ ଦେଇଛନ୍ତି। ସେଥିରେ ସର୍ତ୍ତ ଅଛି ଦ୍ରୁତଗତିରେ କାମ ସାରିବା ପାଇଁ। ସେପ୍ଟେମ୍ବର ମାସ ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ପୂରା ବର୍ଷରେ ସମ୍ପୂର୍ଣ୍ଣ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଏକ ରେକର୍ଡ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।