ଦିନକୁ ଦିନ ବିଜେଡିରେ ବଢୁଛି କନ୍ଦଳ। ଅନେକ ସମୟରେ ନେତାଙ୍କ ମଧ୍ଯରେ ଚାଲିଛି କଥା କଟାକଟି। ତେବେ ପୁଣି ଦୁଇ ନେତାଙ୍କ ମଧ୍ଯରେ ଏବେ କଥା କଟାକଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ବରିଷ୍ଠ ନେତା ଅମର ଶତପଥୀ ଦେଇଛନ୍ତି ବିସ୍ଫୋରକ ବୟାନ। “ମୁଁ ବିଜେଡିରେ ନାହିଁ କି ସଦ୍ୟସତା ନବୀକରଣ କରିବାର ସ୍ପଷ୍ଟ ଉଠୁନି। ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ ବୋଲି ଅମର କହିଛନ୍ତି।
ଅନ୍ୟପଟେ ଅମରଙ୍କୁ କଟାକ୍ଷ କରି ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି ପରୋକ୍ଷରେ ତାଙ୍କୁ ଦଳ ଛାଡ଼ି ଚାଲିଯିବାକୁ ତେରଛା ଭାବେ କହିଛନ୍ତି। ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କୁ ବୁଝାଏ ବୋଲି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବୟାନ ଦେବା ପରେ ଆଜି ଲେନିନଙ୍କ ଏଭଳି କଟାକ୍ଷ ଅମରଙ୍କୁ ସିଧାସଳଖ ଦଳ ଛାଡ଼ିବାକୁ ବାଧ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଲେନିନ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଅମର ବାବୁ ଯଦି ଦଳରେ ରହିବା ପାଇଁ ଚାହୁଁନାହାନ୍ତି, ତାହାହେଲେ ସେ ଦଳ ଛାଡ଼ି ଚାଲିଗଲେ ଭଲ ହୁଅନ୍ତା। ତାଙ୍କ ପୁତୁରା ଆଗରୁ ବିଜେପିକୁ ଛାଡ଼ିଛନ୍ତି। ସେ ଯଦି ତାଙ୍କ ପୁତୁରାଙ୍କ ପଥକୁ ଅନୁସରଣ କରି ଚାଲିଯିବେ, ତାହାହେଲେ ଭଲ ହେବ। ଦଳ ୬ଥର ଅମର ବାବୁଙ୍କୁ ବିଭିନ୍ନ ପଦପଦବୀରେ ରହିବାକୁ ସୁଯୋଗ ଦେଇଛି। ସେ ଆହୁରି କହିଛନ୍ତି, ଯଦି ଦଳରେ ଅମର ବାବୁଙ୍କୁ ଅଣ ନିଶ୍ୱାସ ଲାଗୁଛି, ଦଳ ଛାଡ଼ି ଚାଲିଗଲେ ଭଲ ହେବ।
ସେ ଆହୁରି ମଧ୍ଯ କହିଛନ୍ତି ଆମେ ଏହା ଆହ୍ୱାନ କରୁଛୁ। ଅମର ବାବୁ ଦଳ ଛାଡ଼ି ଚାଲିଗଲେ ସେଠାରେ ତାଙ୍କୁ କ’ଣ ପ୍ରଧାନମନ୍ତ୍ରୀ କରି ଦେବେ କି? ବିଜେଡି ଛାଡ଼ି ଯେଉଁମାନେ ବିଜେପି ଯାଇଛନ୍ତି ସେଠାରେ ସେମାନଙ୍କୁ କ’ଣ ଦାୟିତ୍ୱ ମିଳିଛି, ଆମେ ଦେଖିଛୁ ।
ତେବେ ଦୁଇ ନେତାଙ୍କ ଏପରି କଥା ପରେ ଗତି କୁଆଡେ ଯିବ ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଯାଜପୁରରେ ଏକ କର୍ମୀ ସମ୍ମିଳନୀରେ ବବି ଦାସ କହିଥିଲେ ଯେ, ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କକୁ ବୁଝାଏ। ବବି- ଜିତୁ -ଡାନି। ଯାହାକୁ ନେଇ ଏବେ ବଢୁଛି ବିବାଦ।