ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦୁନିଆର ସବୁଠୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ମଧ୍ୟରୁ ଅନ୍ୟତମ । ବିସିିସିଆଇ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ବ୍ୟତୀତ ଆଇପିଏଲରୁ ବହୁତ ରାଜସ୍ୱ କମାଇଥାଏ । ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିସିସିଆଇର ୫୦ ପ୍ରତିଶତ ଆୟ କେବଳ ଆଇପିଏଲରୁ ହୋଇଥାଏ । ବୋର୍ଡ ସୂଚନା ଦେଇଛି ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ୯ ହଜାର ୭୪୧ କୋଟି ଟଙ୍କାର ଆୟ ହୋଇଛି । ଗତ ଦୁଇ ବର୍ଷରେ ବୋର୍ଡର ଆୟ ପାଖାପାଖି ୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ।
ବିସିସିଆଇ ପାଖରେ ରାଜସ୍ୱ ସୃଷ୍ଟି କରିବାର ଅନେକ ତରିକା ରହିଛି । ସେଥିରୁ ଆଇସିସିର ସେୟାର, ଯେଉଁଥିରୁ କୋଟି କୋଟି ଟଙ୍କା ଆସିଥାଏ । ପୁଣି ଆଇପିଏଲ୍ ଓ ଡବ୍ଲ୍ୟୁପିଏଲରୁ ମଧ୍ୟ ମୋଟା ଅଙ୍କର ମୁନାଫା ହୋଇଥାଏ । ଏହା ବ୍ୟତୀତ ମ୍ୟାଚ୍ ଟିକେଟ୍ ବିକ୍ରି ଓ କମର୍ସିଆଲ ରାଇଟ୍ସ ଜରିଆରେ ମଧ୍ୟ ବୋର୍ଡ ଖୁବ୍ ରୋଜଗାର କରିଥାଏ ।
ମାଇଖେଲର ରିପୋର୍ଟ ଅନୁଯାୟୀ, ବିସିସିଆଇ ୨୦୨୩-୨୪ରେ ଆଇପିଏଲରୁ ୫,୭୬୧ କୋଟି ଟଙ୍କାର ଆୟ କରିଛି ।
ବିସିସିଆଇ ୧୦୪୨ କୋଟି ଟଙ୍କା ଆଇସିସିର ସେୟାରରୁ ଆୟ କରିଛି ।
ଏହା ବ୍ୟତୀତ ଡବ୍ଲ୍ୟୁପିଏଲରୁ ମଧ୍ୟ ବିସିସିଆଇ ୩୭୮ କୋଟି ଟଙ୍କାର ରୋଜଗାର କରିଛି ।
ଟିକେଟ୍ ବିକ୍ରି ଓ କମର୍ସିଆଲ ରାଇଟ୍ସ ଜରିଆରେ ବିସିସିଆଇ ୩୬୧ କୋଟି ଟଙ୍କାର ଆୟ କରିଛି ।
ବୋର୍ଡ ୨୦୨୩-୨୪ରେ ୯ ହଜାର ୭୪୧ କୋଟି ଟଙ୍କାର ଆୟ କରିଛି । ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ବୋର୍ଡ ୬,୮୨୦ କୋଟି ଟଙ୍କା ଆୟ କରିଥିଲା । ଏଥିରୁ ଜଣା ପଡୁଛି ଯେ, ବିସିସିଆଇ ୨୦୨୩-୨୪ରେ ୨ ହଜାର ୨୯୧ କୋଟି ଟଙ୍କା ଅଧିକ ଆୟ କରିଛି । ସେହିପରି ୨୦୨୧-୨୨ରେ ବିସିସିଆଇ ୪ ହଜାର ୨୩୦ କୋଟି ଟଙ୍କା ଆୟ କରିଥିଲା ।