ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ହମଲା । ହେଲେ ଏହାର ସିଧାସଳଖ ପ୍ରଭାବ ଭାରତୀୟଙ୍କ ଉପରେ ମଧ୍ୟ ପଡିଛି । ପରିସ୍ଥିତି ଏମିତି ଯେ, ସୋମବାର ଲଣ୍ଡନରୁ ମୁମ୍ବାଇର ବିମାନ ଟିକେଟ୍ ଯାତ୍ରୀ ପିଛା ୯ ଲକ୍ଷ ଟଙ୍କାରେ ପହଞ୍ଚିଛି । ଇକୋନୋମି ଶ୍ରେଣୀର ଟିକେଟ୍ ୨ ଲକ୍ଷ ୯୦ ହଜାର ଟଙ୍କା ରହିଛି ଏବଂ ବିଜନେସ୍ ଶ୍ରେଣୀର ଟିକେଟ୍ ଦାମ ୯ ଲକ୍ଷ ଛୁଇଁଛି । ଏହାର କାରଣ ବିମାନଗୁଡିକୁ ସଂପୂର୍ଣ୍ଣ ମଧ୍ୟପ୍ରାଚ୍ୟ କ୍ଷେତ୍ର ଛାଡି ଅନ୍ୟ ରୁଟରେ ଲମ୍ବା ଯାତ୍ରା କରିବାକୁ ପଡୁଛି । ଆଉ ଏକ କାରଣ ଯୁଦ୍ଧ ପରିସ୍ଥିତିରେ ବିମାନ ଉଡାଣ କମିଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି ।
ସୋମବାର ପ୍ରାୟ ୭୦୦ ଉଡାଣ ବାତିଲ ହୋଇଛି । ପ୍ରତିଦିନ ଉଣା ଅଧିକେ ଏମିତି ଅବସ୍ଥା ଦେଖିବାକୁ ମିଳୁଛି । ମଙ୍ଗଳବାର ଏ ପର୍ଯ୍ୟନ୍ତ ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀ ବିମାନ ବନ୍ଦରରୁ ପ୍ରାୟ ୨୩୦ ବିମାନ ବାତିଲ୍ ହୋଇ ସାରିଛି । ସାଧାରଣତଃ ମୁମ୍ବାଇରୁ ଲଣ୍ଡନ କିମ୍ବା ଦିଲ୍ଲୀରୁ ଲଣ୍ଡନର ବିମାନ ଭଡା ୨୦ ହଜାରରୁ ୪୦ ହଜାର କିମ୍ବା ୫୦ ହଜାର ଟଙ୍କା ହୋଇଥାଏ । ବିଜନେସ ଶ୍ରେଣୀର ବିମାନ ଭଡା ଲକ୍ଷେ ୨୦ ହଜାର ଟଙ୍କା ରହିଥାଏ । ମାତ୍ର ଏମିତି ସଙ୍କଟରେ ବିମାନ ଭଡା ସବୁ ରେକର୍ଡ ଭାଙ୍ଗି ଦେଇଛି । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ମଧ୍ୟ ବର୍ଦ୍ଧିତ ଭଡାରେ ମଧ୍ୟ କିଛି ଉଡାଣ ସଞ୍ଚାଳନ କରୁଛନ୍ତି ।
ରୁଟ୍ ବହୁତ ଲମ୍ବା ହୋଇଯିବା କାରଣରୁ ବିମାନ ଭଡା ଅପ୍ରତ୍ୟାଶିତ ଭାବେ ବଢିଥିବା ଏୟାରଲାଇନ୍ସ କମ୍ପାନି କହିଛନ୍ତି । ମାତ୍ର ଏହା ଏକ ମାତ୍ର କାରଣ ନୁହେଁ । ଯଦି ଦିନକୁ ୭୦୦ ଉଡାଣ ବାତିଲ ହେବ ତେବେ ଚାହିଦା ଓ ଯୋଗାଣରେ ବଡ ବ୍ୟବଧାନ ସୃଷ୍ଟି ହେବ । ଏହି କାରଣରୁ ଏବେ କମ୍ପାନିଗୁଡିକୁ ଫାଇଦା ଉଠାଉଛନ୍ତି । କୋଲକାତାରେ ମଧ୍ୟ ଏମିତି ସ୍ଥିତି ଦେଖିବାକୁ ମିଳିଛି । ପ୍ରତିଦିନ ୨୦ ଉଡାଣ ବାତିଲ୍ ହେଉଛି । ଏହା ମଧ୍ୟରେ ଏତିହାଦ ଓ ଏମିରାଟ୍ସ ଘୋଷଣା କରିଛି ଯେ, ମଧ୍ୟପ୍ରାଚ୍ୟ ଦେଶଗୁଡିକରୁ ଲୋକଙ୍କୁ ଆଣିବା ପାଇଁ ନିଜର ଅଧିକ ବିମାନ ସଞ୍ଚାଳନ କରିବ ।
Also read: ଇରାନ ପାଇଁ ୪ଟି ଲକ୍ଷ୍ୟ ସ୍ଥିର କଲେ ଡୋନାଲ୍ଡ ଟ୍ରମ୍ପ