ସମାଜ ପାଇଁ ବିରାଟ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ । ସମ୍ବିତଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି। ସୋସିଆଲ ମିଡିଆରେ ଏକ ଆବେଗଭରା ପୋଷ୍ଟ କରିଛନ୍ତି ନବୀନ । ସେ ଲେଖିଛନ୍ତି ଏହି ପୋଷ୍ଟ ରେ ଲେଖିଛନ୍ତି ଏହି ଦିନଟି ତାଙ୍କ ପୁଅ ପାଇଁ ସ୍ମରଣୀୟ ହୋଇ ରହିବ । ଠିକ କରିଛନ୍ତି ନା ଭୁଲ କରିଛନ୍ତି ତାହା ସେ ଜାଣିନାହାନ୍ତି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ତାଙ୍କ ସ୍ୱର୍ଗତ ପୁଅ ସମ୍ବିତଙ୍କ ପତ୍ନୀ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ ପାଇଁ ସମ୍ମତି ଦେଇଛନ୍ତି । ଏଥିରେ ତାଙ୍କର ସମୁଦି ଅର୍ଥାତ ମଧୁସ୍ମିତାଙ୍କ ବାପା ନୀଳମଣ୍ଡି ପଣ୍ଡାଙ୍କ ସ୍ୱୀକୃତି ରହିଥିବା ଲେଖିଛନ୍ତି । ଉଭୟ ପରିବାରର ସମ୍ମତିରେ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଲକ୍ଷ୍ମୀ ମନ୍ଦିରରେ ଅତି ନିରାଡମ୍ବର ଭାବେ ବିବାହ ଶେଷ ହେଲା । ବାଲେଶ୍ୱର ଜିଲ୍ଲା ରେମୁଣାର ସ୍ୱର୍ଗତ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁଅ ଶିବ ଚନ୍ଦନଙ୍କ ସହ ବୋହୂ ମଧୁସ୍ମିତାଙ୍କ ବିବାହ କରାଇଥିବା ସେହି ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ବିବାହ ସମୟରେ ନବୀନଙ୍କ ପତ୍ନୀ ରଞ୍ଜିତା ଏବଂ ମଧୁସ୍ମିତାଙ୍କ ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମୀରଞ୍ଜନ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ ,ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ୨୦୨୧ରେ ମୃତ୍ୟୁ ହୋଇଥିଲା । ପୁଅ ସମ୍ବିତ କରୋନା ସଂକ୍ରମିତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମଣ ହେବାରୁ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏପରିକି ତାଙ୍କ ପାଇଁ ଏକମୋ ଚିକିତ୍ସା ଜରୁରୀ ଥିବାବେଳେ ଓଡିଶାରେ ଏହି ମେସିନ ଉପଲବ୍ଧ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ନବୀନ ନନ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତତକାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରି ଚିଠି ଲେଖିଥିଲେ । ବାହାରେ ଏହି ଚିକିତ୍ସା ସେବା ବ୍ୟୟବହୁଳ ହୋଇଥିବାରୁ ତାଙ୍କ ପୁଅର ଜୀବନ ବଞ୍ଚାଇବା ସମ୍ଭବ ହେଲା ନାହିଁ । ଦୀର୍ଘଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ୨୦୨୧ ମେ ୨୨ ତାରିଖରେ ପୁଅ ସମ୍ବିତ ନନ୍ଦଙ୍କ ଦେହାନ୍ତ ହୋଇଥିଲା।