ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନକ୍ସଲ ବିରୋଧୀ ଅଭିଯାନ ଏଡିଜେ ସଂଜୀବ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍ର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଛନ୍ତି ।
ପ୍ରତିଯୋଗିତା କମାଣ୍ଡୋଙ୍କ ମଧ୍ୟରେ ପେଶାଦାରିତା, ଶୃଙ୍ଖଳା ଓ ଦଳୀୟ ସମନ୍ୱୟକୁ ବଢ଼ାଇବାରେ ସକ୍ଷମ ହେବ ବୋଲି ଏଡିଜେ ଗୁରୁତ୍ୱାରୋପ କରିଛନ୍ତି । ଏହା ବ୍ୟତୀତ ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ତ୍ୱରିତ ଓ ସଫଳଭାବେ ମୁକାବିଲା କରିବା ପାଇଁ କମାଣ୍ଡୋମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରି ପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।
ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସଶସ୍ତ୍ର ପୋଲିସ ବ୍ୟାଟାଲିୟନ୍ର କମାଣ୍ଡୋ ମାନେ ଅଂଶଗ୍ରହଣ କରି ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, କ୍ରସ୍–କଣ୍ଟ୍ରି ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ । ଆରକ୍ଷୀ ମହାନିର୍ଦ୍ଦେଶକ ପଣ୍ଡା ସମସ୍ତ ଅଂଶଗ୍ରହଣକାରୀ କମାଣ୍ଡୋମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପେଶାଦାର ପ୍ରଶିକ୍ଷଣ ଓ ପ୍ରତିଯୋଗିତା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଆଜିର ଏହି ଉଦଘାଟନ ସମାରୋହରେ ଏସପି ସ୍ପେଶାଲ ବ୍ରାଞ୍ଚ ରାଜ ପ୍ରସାଦ, ଡେପୁଟି କମାଣ୍ଡାଣ୍ଟ ପାୟଲ ଦୟାଲ ବା, କ୍ରୀଡା ଅଧିକାରୀ ନୀଳ ମାଧବ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।