ନୂଆଦିଲ୍ଲୀ: ଶ୍ରୀଲଙ୍କାର ଏକ ଜେଲରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଜେଲରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ହୋଇଥିବା ହିଂସାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ କଏଦୀ ଗୁରୁତର ଆହତ ହୋଇଛନ୍ତି ।
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଉତ୍ତରରେ ଅବସ୍ଥିତ ନେଗୋମ୍ବୋ କାରଗାରରେ ରବିବାର ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ହିଂସା ଆରମ୍ଭ ହୋଇଥିଲା । ଡ୍ରଗ୍ସ କାରବାରକୁ ନେଇ ଏହି ବିବାଦ ବଢ଼ିଥିଲା । ସୋମବାର ସକାଳ ସୁଦ୍ଧା ଏହା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଯାଇଥିଲା । କଏଦୀମାନେ ଜେଲର ସୁରକ୍ଷାକର୍ମୀଙ୍କ ନିକଟରୁ ବନ୍ଧୁକ ଛଡ଼ାଇ ଗୁଳି ବର୍ଷା କରିଥିଲେ । ଯେଉଁଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ସହିତ ୧୦୦ରୁ ଉର୍ଦ୍ଧ୍ୱ କଏଦୀ ଓ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ହିଂସାତ୍ମକ ସଂଘର୍ଷକୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ସବୁଠାରୁ ଭୟଙ୍କର ଜେଲ ଦଙ୍ଗା ଭାବରେ ବର୍ଣ୍ଣନା କରାଯାଉଛି । ସଂଘର୍ଷ ପରେ ଜେଲରେ ବ୍ୟାପକ ପରିମାଣରେ ସେନା ମୁତୟନ କରାଯାଇଛି । ସେନା ମୁଖପାତ୍ର ବ୍ରିଗେଡିୟର ୱାରୁନା ଗାମାଗେ ରଏଟର୍ସଙ୍କୁ କହିଛନ୍ତି ଯେ "ପୋଲିସକୁ ସହାୟତା ଯୋଗାଇବା ପାଇଁ ସେନାକୁ ଅନୁରୋଧ କରାଯାଇଛି, ବର୍ତ୍ତମାନ ସେମାନେ ପ୍ରସ୍ତୁତ ଅଛନ୍ତି"।