ଖବର ଓଡ଼ିଶା: କେନ୍ଦ୍ର ସରକାର ଚଳିତ ବଜେଟରେ ବେରୋଜଗାରି ସମସ୍ୟା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଯୁବ ବର୍ଗଙ୍କ ପାଇଁ ନୂତନ ଆଶା ନେଇ ଆସିଛି ଏହି ବଜେଟ୍ । ବିନା ଦରମାରେ ବିଭିନ୍ନ କମ୍ପାନୀରେ ତାଲିମ ନେଉଥିବା ଯୁବପୀଢ଼ିଙ୍କୁ ଏଣିକି ଭତ୍ତା ମିଳିବ । ଆଉ ଏଥିପାଇଁ କେନ୍ଦ୍ର ସରକାର ‘ଇଣ୍ଟର୍ନସିପ୍ ଯୋଜନା’ ଲାଗୁ କରିବାକୁ ଯାଉଛନ୍ତି । ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ଯୁବକମାନଙ୍କ ପାଇଁ ଏକ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଦେଶର 500ଟି ବିଶିଷ୍ଟ କମ୍ପାନୀରେ ୧ କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ବା ତାଲିମ ସୁଯୋଗ ଯୋଗାଇବା ପାଇଁ ସରକାର ଯୋଜନା ଆରମ୍ଭ କରିବେ । ଯାହା ଅଧୀନରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ଏକକାଳୀନ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ।
ଏଥର ମୋଦୀ ସରକାରଙ୍କ ଏହି ବଜେଟରେ ଯୁବକମାନଙ୍କ ରୋଜଗାର, ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ପ୍ରାୟ 2 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ରୋଜଗାର ବୃଦ୍ଧି ଏବଂ ଏଥିପାଇଁ ବିଭିନ୍ନ ଉପାୟରେ ନିଯୁକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରାଯିବ।