ଭୁବନେଶ୍ୱର: ସବୁଜ ଶକ୍ତି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଦକ୍ଷ କରିବା ପାଇଁ ଓଡ଼ିଶା ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ଭୁବନେଶ୍ୱରରେ ସ୍ଥାପନ ହେବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର’। ଏନେଇ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚପିସି) ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି।
ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସର ‘କୌଶଳ ଭବନ’ରେ ଏହି କେନ୍ଦ୍ର ନିର୍ମାଣ ହେବ। ପ୍ରାୟ ୩,୦୦୦ ବର୍ଗଫୁଟ୍ ଅଞ୍ଚଳରେ ଗଢ଼ି ଉଠିବାକୁ ଥିବା ଏହି କେନ୍ଦ୍ର ପାଇଁ ୧ କୋଟି ୪୮ ଲକ୍ଷ ୭୫ ହଜାର ୯ ଟଙ୍କା ଖର୍ଚ୍ଚ ହେବ। ସମ୍ପୂର୍ଣ୍ଣ ଖର୍ଚ୍ଚ ଓଏଚପିସିର ସିଏସ୍ଆର୍ ପାଣ୍ଠିରୁ ବହନ କରାଯିବ।
ଏଠାରେ ରୁଫଟପ୍ ସୋଲାର, ଫ୍ଲୋଟିଂ ସୋଲାର, ସୋଲାର ଟ୍ରାକର୍, ପିଏଲସି-ଏସସିଏଡିଏ, ଇଣ୍ଡଷ୍ଟ୍ରିଆଲ୍ ଆଇଓଟି, ରିମୋଟ୍ ମନିଟରିଂ, ଡିଜିଟାଲ୍ ଟେକ୍ନୋଲୋଜି, ପ୍ରିଡିକ୍ଟିଭ୍ ମେଣ୍ଟେନାନ୍ସ, ଏନର୍ଜି ମ୍ୟାନେଜମେଣ୍ଟ ଓ ଷ୍ଟୋରେଜ୍ ଭଳି ଆଧୁନିକ ପ୍ରଯୁକ୍ତିରେ ତାଲିମ ଦିଆଯିବ।
ସବୁଠୁ ବଡ଼ କଥା ହେଉଛି, ଏହି କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀ ତାଲିମ ନେବାର ସୁଯୋଗ ପାଇବେ। ସୋଲାର ପିଭି ଟେକ୍ନିସିଆନ୍, ଓଏଣ୍ଡଏମ୍ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଓ ଏନର୍ଜି ଅଡିଟର ଭଳି ନୂଆ ଚାକିରି କ୍ଷେତ୍ର ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ। ସେହିପରି ସୌର ପ୍ରକଳ୍ପ ସ୍ଥାପନ ଓ ରକ୍ଷଣାବେକ୍ଷଣରେ ଉଦ୍ୟୋଗୀ ହେବାର ସୁଯୋଗ ମଧ୍ୟ ମିଳିବ।ସବୁଜ ଶକ୍ତି ସହ ଦକ୍ଷ ଯୁବଶକ୍ତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଏହି କେନ୍ଦ୍ର ଏକ ନୂଆ ମାଇଲଖୁଣ୍ଟ ହେବ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି, ଏହି ପଦକ୍ଷେପ ଯୁବପିଢ଼ିଙ୍କ ପାଇଁ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତି ଓ ସ୍ୱ-ନିଯୁକ୍ତିର ନୂଆ ଦ୍ୱାର ଖୋଲିବ। ଅନ୍ୟପଟେ, ଶିଳ୍ପ ଓ ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବକଯୁବତୀଙ୍କୁ କେବଳ ଦେଶ ନୁହେଁ, ବିଶ୍ୱର ସବୁଜ ଶକ୍ତି ବଜାର ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ।