ବିଲରେ ମଜୁରୀ ଲାଗୁଥିବା ଓଡ଼ିଆ ଯୁବକ ଦିଲ୍ଲୀ ଜେଏନ୍‌ୟୁର ସଭାପତି ପ୍ରାର୍ଥୀ
Khabar Odisha:farm-labor-kalahandi-youth-jitendra-is-jnusu-president-candidate
ନୂଆଦିଲ୍ଲୀ, ଅଗଷ୍ଟ ୩୦(ଖବର ଓଡିଶା):

ଚାଷ ଜମିରେ ମଜୁରୀ ଲାଗୁଥିବା ଓଡ଼ିଆ ପୁଅ ଆଜି ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସଭାପତି ପଦ ପାଇଁ ଲଢ଼େଇ କରୁଛନ୍ତି । ସେ ହେଉଛନ୍ତି କଳାହାଣ୍ଡିର ପୌରକେଲାର ଜିତେନ୍ଦ୍ର ସୁନା । ଜିତେନ୍ଦ୍ର ଜେଏନ୍‌ୟୁରେ ସଭାପତି ପଦରେ ପ୍ରାର୍ଥୀତ୍ୱ କରୁଛନ୍ତି । ସେ ବିର୍ସା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ (ବିଏପିଏସ୍‌ଏ) ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି ।

ପିଲା ବେଳୁ ମାଙ୍କୁ ହରାଇଥିବା ଜିତେନ୍ଦ୍ରଙ୍କ ବାପା ଚାଷ ଜମିରେ ମୂଲ ଲାଗି ପରିବାର ଚଳାନ୍ତି । ତେଣୁ ଘରର ଆର୍ଥିକ ସ୍ଥିତିରେ ସହଯୋଗ ପାଇଁ ସେ ଛୋଟ ବେଳୁ ଅନ୍ୟର କ୍ଷେତରେ ମଜୁରୀ ଲାଗନ୍ତି । ତାଙ୍କୁ ଦିନକୁ ମଜୁରୀ ବାବଦରେ ମାତ୍ର ୪୦ ରୁ ୫୦ ଟଙ୍କା ମିଳେ । ଏହା ପରେ ମନରେଗାରେ ଅଧୀନରେ ରାସ୍ତା ଓ ପୋଖରୀ ଖୋଳା କାମ କରୁଥିଲେ । ଏଥିରେ ମଧ୍ୟ ତାଙ୍କୁ ମାତ୍ର ୧୦୦ରୁ ୧୫୦ ଟଙ୍କା ମଜୁରୀ ମିଳିଥିଲା । କିନ୍ତୁ ଏହାରି ମଧ୍ୟରେ ସେ କେବେ ହାର୍‌ ମାନି ନ ଥିଲେ । ପାଠ ପ୍ରତି ଥିବା ଆଗ୍ରହ ସାମ୍ନାରେ ଅର୍ଥ ବାଧକ ସାଜି ପାରି ନ ଥିଲା । ଜିତେନ୍ଦ୍ର ଉଚ୍ଚ ଶିକ୍ଷା ଶେଷ କରି ୨୦୦୯ରେ ଦିଲ୍ଲୀର ଆଇଜିଏଲ୍‌ରେ କାମ କରୁଥିଲେ ।

ଦିଲ୍ଲୀ ପରେ ସେ ନାଗପୁରରେ ଏକ କୋର୍ସ କରୁଥିବାବେଳେ ଜାତିଗତ ଭେଦଭାବ ଦେଖିବାକୁ ପାଇଥିଲେ । ଏହା ପରେ ସେ ସ୍ଥିର କରିଥିଲେ ଇତିହାସ ପଢ଼ିବେ ଏବଂ ଦଳିତ ଲୋକଙ୍କ ଇତିହାସ ଲେଖିବେ । ସେଥିପାଇଁ ସେ ଜେଏନ୍‌ୟୁରେ ୨୦୧୩ରେ ଇତିହାସ ବିଷୟରେ ଏମ୍‌ଏ କଲେ । ଏହା ପରେ ଏମ୍‌ଫିଲ୍‌ ଏବଂ ଏବେ ସେ ପିଏଚ୍‌ଡି କରୁଛନ୍ତି । ଚଳିତ ବର୍ଷ ସେ ଜେଏନ୍‌ୟୁରେ ସଭାପତି ପଦ ପାଇଁ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଏପିଏସ୍‌ଏ ଦଳ ପକ୍ଷରୁ ସେ ୧୩ ଜଣ ପ୍ରାର୍ଥୀଙ୍କ ସହିତ ନିର୍ବାଚନ ଲଢ଼ୁଛନ୍ତି । 

  • Tags:

Subscribe

National International State Sports Entertainment