ଧାୱନଙ୍କ ଆହତକୁ ନେଇ ଚିନ୍ତାରେ ପଞ୍ଜାବ; ଆର୍‌ସିବିର ରଣହୁଙ୍କାର !
Khabar Odisha:Punjabs-Dependency-On-Shikhar-Dhawan-A-Major-Concern-RCB-is-ready-to-war
ଭୁବନେଶ୍ୱର, ଏପ୍ରିଲ ୨୦ (ଖବର ଓଡିଶା)

ଚଳିତ ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ତା’ ‌ଘରୋଇ ଷ୍ଟାଡିୟମ ମୋହାଲି‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଭେଟିବ। ଏହି ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲେ। ତେବେ ସାମ୍‌ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜାଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ୍ ସିଂ ଭାଟିଆ ଓ ଶାହରୁଖ ଖାନ୍‌ ମୂଲ୍ୟବାନ ଅବଦାନ ରଖିଥିଲେ। ତଥାପି ଧାୱନ୍‌ଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ଓପନିଂ ସମସ୍ୟା ସୃଷ୍ଟି କରିଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚରେ ପ୍ରଭସିମ୍ରନ ସିଂଙ୍କ ସହ ଅର୍ଥବ ତାଇଦେ ଓପେନିଙ୍ଗ୍ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ‌ବୋଲିଂରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ଓ ସାମ୍‌ କରନ ନିଜ କାର୍ଯ୍ୟ ଠିକ୍‌ରେ ତୁଲା‌ଉଥିବା ବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା। ତେବେ ପଞ୍ଜାବ ୫ଟି ମ୍ୟାଚ୍‌ ଖେଳି ୬ ପଏଣ୍ଟ ସହ  ପଏଣ୍ଟ ଟେବୁଲର ପଞ୍ଚମରେ ରହିଛି।

ଅନ୍ୟପକ୍ଷରେ ଆର୍‌ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଥିବା ବେଳେ ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲରଙ୍କ ପରେ ଏମା‌ନେ ରହିଛନ୍ତି। ତେବେ ଗ୍ଲେନ୍ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଥିଲା ବେଳେ ତାଙ୍କ ପଛ‌କୁ ପଛ ଶାହବାଜ ଅହମଦ, ଦୀନେଶ କାର୍ତ୍ତିକ ଓ ସୂୟାଶ ପ୍ରଭୂଦେଶାଇଙ୍କୁ ନେଇ ଆର୍‌ସିବିର ବ୍ୟାଟିଂକ୍ରମ ଦୃଢ଼ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ କୋହଲି ଓ ମହିପାଲ ଲୋମରର୍ ଦୁର୍ଭାଗ୍ୟ ବଶତଃ ନିଜର ୱିକେଟ୍ ହରାଇ ଦେବାରୁ ଡୁ’ପ୍ଲେସିସ ଓ ମ୍ୟାକ୍ସୱେଲଙ୍କ କାନ୍ଧରେ ସଂପୂର୍ଣ୍ଣ ଦାୟିତ୍ବ ଭାର ରହିଥିଲା। ତେବେ୨୨୭ ରନ୍‌କୁ ପିଛା କରୁଥିବା ଏହି ଦଳ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ୮ ରନ୍‌ ପଛରେ ରହିଯାଇଥିଲା। ବୋଲିଂକ୍ରମ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ‌ ୱେନ୍‌ ପାର୍ନେଲଙ୍କୁ‌ ନେଇ ଦୃଢ଼ ରହିଛି। ତେବେ ଆର୍‌ସିବି ୫ଟି ମ୍ୟାଚ୍‌ ଖେଳି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଜି ନିଜ ଦଳ ପାଇଁ ସମ୍ପୁର୍ଣ୍ଣ ବଳ ସହିତ ଲଢେଇ କରିବ ବୋଲି ଆଶା କରାଯାଉଛି ଓ ଆର୍‌ସିବିର ବିଜୟ ପାଇଁ କୋହଲୀଙ୍କ ପ୍ରଶଂସକମାନେ ବିରାଟ ଆଶା ନେଇ ଉତ୍ସାହର ସହିତ ଅନେଇ ବସିଛନ୍ତି ।

Subscribe

National International State Sports Entertainment