କଟକ: କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ନେଇ କଟକ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ପୁରୁଷ ବନ୍ଧୁଙ୍କ ସହିତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ଆଶୁତୋଷ, ଲକି, ଚନ୍ଦନ, ବାରଙ୍କର ସୌମ୍ୟ ଏବଂ ନୟାଗଡ଼ର ପୀତବାସ ଓ ସୁଶୀଲ ।
ଛାତ୍ରୀଙ୍କ ଅଭିଯୋଗ ମୁତାବକ, ଦୁର୍ଗା ପୂଜା ସମୟରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁ ଆଶୁତୋଷଙ୍କ ସହିତ କଟକର ପୁରୀ ଘାଟ ଥାନା ଅଞ୍ଚଳରେ ଥିବା ଏକ କାଫେରେ ନିଜ ଜନ୍ମ ଦିନ ପାଳନ କରିବାକୁ ଯାଇଥିଲେ । ଏହି ସମୟରେ ପୁରୁଷ ବନ୍ଧୁ କାଫେ ମାଲିକଙ୍କ ସହିତ ମିଶି ଛାତ୍ରୀଙ୍କ ଅଜଣାତରେ କିଛି ଆପତ୍ତି ଜନକ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହା ପରେ ସେହି ଭିଡ଼ିଓକୁ ନେଇ ତାଙ୍କୁ ବାରମ୍ବାର ବ୍ଲାକମେଲ୍ କଲେ ।
ସେହି ଭିଡ଼ିଓକୁ ଭାଇରାଲ କରିଦେବା ଡର ଦେଖାଇ ତାଙ୍କୁ ବାରଙ୍ଗ ଅଞ୍ଚଳକୁ ଡାକିଥିଲେ । ଏହା ପରେ ପୁରୁଷ ବନ୍ଧୁ ଜଣକ ଅନ୍ୟ କିଛି ସାଙ୍ଗଙ୍କ ସହିତ ମିଶି ତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ବିଭିନ୍ନ ସ୍ଥାନକୁ ଡାକି ଭିଡ଼ିଓ ଭାଇରାଲ କରିଦେବା ଧମକ ଦେଇ ଦୁଷ୍କର୍ମ କରୁଥିଲେ । ଛାତ୍ରୀଟି ଦିନେ ଉକ୍ତ ଯୁବକ ସହିତ ରାସ୍ତାରେ ଛିଡ଼ା ହୋଇ ଯୁକ୍ତି ତର୍କ କରୁଥିବାରୁ ତାଙ୍କ ମାମୁଁ ଦେଖିଥିଲେ । ଏହା ପରେ ପରିବାର ଲୋକଙ୍କ ସାମ୍ନା ସମ୍ପୂର୍ଣ୍ଣ ଘଟଣା ଆସିଥିଲା । ଏ ନେଇ ଛାତ୍ରୀ ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ସେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁଲିସ ଅଭିଯୋଗ ପାଇବା ପରେ ତୁରନ୍ତ ଖୋଳତାଡ଼ ଆରମ୍ଭ କରି ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲରେ ମଧ୍ୟ କିଛି ଅଶ୍ଳୀଳ ଭିଡ଼ିଓ ଥିବା ଦେଖିବାକୁ ମିଳିଛି । ପୁଲିସ ଯୁବକମାନଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ମୋବାଇଲକୁ ଫରେନସିକ୍ ଲ୍ୟାବ୍ କୁ ପଠାଇଥିବା ଜଣାପଡ଼ିଛି ।