କଟକ: କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମହିଳା ବିରୋଧୀ ଅପରାଧରେ ସରକାରଙ୍କ ମାନସିକତା ଶୂନ୍ୟ ସହନଶୀଳତା ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପକ୍ଷରେ କଟକ ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀରେ ଘଟଣା ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି ।
ଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ରଖି ତାଙ୍କୁ ବ୍ଲାକମେଲ କରାଯାଇଥିଲା ବୋଲି ଡିସିପି କହିଛନ୍ତି । ଗତ ୪ ତାରିଖରେ ମାମଲା ରୁଜୁ ହୋଇଥିଲା । ଏହାର ତ୍ୱରିତ ତଦନ୍ତ କରାଯାଇ ଦୁଇ ଦଫାରେ ୬ ଜଣଙ୍କୁ ଗିରଫ କରାଯାଇଛି । ୫ ତାରିଖରେ ୩ ଜଣ ଗିରଫ ହୋଇଥିବାବେଳେ ୬ ତାରିଖରେ ଆଉ ୩ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କାଫେର ଜଣେ ବ୍ୟକ୍ତି ଏବଂ ଜଣେ ନାବାଳକ ଥିବା ସେ କହିଛନ୍ତି ।
ଦୁର୍ଗା ପୂଜାରୁ ନେଇ ମାସେ ଯାଏ ଏହି ଘଟଣା ଘଟିଛି । ବାରଙ୍ଗ ତ୍ରୀଶୂଳିଆ ଏବଂ ପୁରୀ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି । ସମ୍ପୃକ୍ତ କାଫେକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ସେହିପରି ସମସ୍ତ ଅଭିଯୁକ୍ତମାନଙ୍କର ମୋବାଇଲ ମଧ୍ୟ ଜବତ କରାଯାଇଛି । ଏଭଳି କିଛି ଘଟଣା ଘଟିଲେ ମହିଳା କିମ୍ବା ଯୁବତୀମାନେ ନ ଡରି ତୁରନ୍ତ ମହିଳା ଥାନାରେ ରିପୋର୍ଟ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି । ପୀଡ଼ିତାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି । ସମ୍ବେଦନଶୀଳ ମାମଲା ତଦନ୍ତ ପରିସରଭୁକ୍ତ ଥିବାରୁ ଅଧିକ ତଥ୍ୟ ଦେବାକୁ ଡିସିପି ମନା କରିଥିଲେ ।
ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ କହିଛନ୍ତି ମହିଳା ବିରୋଧୀ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ । ଏଭଳି ମାମଲାରେ ସରକାରଙ୍କ ମାନସିକତା ଶୂନ୍ୟ ସହନଶୀଳତା ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏଠାରେ ଉଲ୍ଲେଖ ଯୋଗ୍ୟ, କଲେଜ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ନେଇ କଟକ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ପୁରୁଷ ବନ୍ଧୁଙ୍କ ସହିତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଝାଞ୍ଜିରୀମଙ୍ଗଳା ଅଞ୍ଚଳର ଆଶୁତୋଷ, ଲକି, ଚନ୍ଦନ, ବାରଙ୍କର ସୌମ୍ୟ ଏବଂ ନୟାଗଡ଼ର ପୀତବାସ ଓ ସୁଶୀଲ ।