ଖବର ଓଡ଼ିଶା: ଅଯୋଧ୍ୟା ଗଣ ଦୁଷ୍କର୍ମ ମାମଲାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଗୋଟିଏ ପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଭିଯୁକ୍ତର ଡିଏନ୍ଏ ପରୀକ୍ଷା କରିବାକୁ ଦାବି କରୁଥିବାବେଳେ ଅନ୍ୟପଟେ ଯୋଗୀ ସରକାର ଅଭିଯୁକ୍ତ ମୋଇଦ ଖାନର ଦୋକାନ ଉପରେ ବୁଲଡୋଜର ଚଳାଇଛନ୍ତି । ଏହାରି ମଧ୍ୟରେ ପୀଡ଼ିତାକୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମାମଲା ରୁଜୁ କରିବା ପରେ ପୀଡ଼ିତାଙ୍କ ପରିବାରୁ ଧମକ ଦିଆଯାଉଥିବା ନେଇ ତାଙ୍କ ମାଆ ଅଭିଯୋଗ କରିଛନ୍ତି ।
ଅଯୋଧ୍ୟା ବଳାତ୍କାର ପୀଡିତାଙ୍କ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌସ୍ଥିତ କେଜିଏମୟୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସିଏମଓ ଡାକ୍ତର ସଞ୍ଜୟ ଜେନା ପୀଡିତାଙ୍କୁ ଆମ୍ବୁଲାନ୍ସରେ ନେଇ ଲକ୍ଷ୍ନୌ ଯାଇଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୀଡ଼ିତାଙ୍କୁ ଲକ୍ଷ୍ନୌ ନିଆଯାଇଛି । ଏହା ପୂର୍ବରୁ ପୀଡିତାଙ୍କୁ ଅଯୋଧ୍ୟାସ୍ଥିତ ମହିଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷେ, ପୀଡିତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ବଜାରକୁ ଯିବାବେଳେ ଲୋକମାନେ ତାଙ୍କୁ ଧମକ ଦେଉଛନ୍ତି । ମାମଲା ରୁଜୁ କରିବା ପରେ ଧମକ ଦିଆଯାଉଛି । ଏ ନେଇ ପୀଡିତାଙ୍କ ମାଆ ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ତାଙ୍କ ମାଆ କହିଛନ୍ତି ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଅଯୋଧ୍ୟାର ଜଣେ ୧୨ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା । ସମାଜବାଦୀ ପାର୍ଟିର ନେତା ତଥା ଭଧରସା ନଗରର ମୋଇଦ ଖାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମୋଇଦ ଖାନ ଏବଂ ତାଙ୍କ ଦୋକାନର ଜଣେ କର୍ମଚାରୀ ନାବାଳିକାଙ୍କୁ ଅସଦାଚରଣ କରିବା ସହ ତାଙ୍କର ଭିଡିଓ କରିଥିଲେ । ସେହି ଭିଡିଓ ଜରିଆରେ ବ୍ଲାକ ମେଲ୍ କରୁଥିଲେ । ନାବାଳିକାକୁ ଦୀର୍ଘ ଦୁଇ ମାସ ଧରି ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହା ପରେ ନାବାଳିକାଟି ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଏ ନେଇ ନାବାଳିକାର ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି । ଜୁଲାଇ ୩୦ରେ ପୁଲିସ ମୋଇଦ ଖାନ ଏବଂ ତାଙ୍କ ଦୋକାନ କର୍ମଚାରୀଙ୍କୁ ଗିରଫ କରିଛି ।