ଭୁବନେଶ୍ୱର: ପାଖେଇ ଆସିଲାଣି ଧର୍ମର ମାସ କାର୍ତ୍ତିକ । ଆଉ ୧୫ଟା ଦିନ ପରେ ଆରମ୍ଭ ହୋଇଯିବ ପବିତ୍ର କାର୍ତ୍ତିକ ବ୍ରତ । କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ବ୍ରତ ପାଳନ ନିମନ୍ତେ ରାଜ୍ୟ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ଏହା ସହିତ ହବିଷ୍ୟାଳୀ ମା’ଙ୍କୁ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏହି ସମୟରେ ସାରା ରାଜ୍ୟରୁ ବୃଦ୍ଧାମାନେ ଆସି ପୁରୀରେ ହବିଷ ବ୍ରତ ପାଳନ କରିବେ । ଦୀର୍ଘ ଏକ ମାସ ଧରି ହବିଷ୍ୟାଳୀମାନେ ପୁରୀରେ ରହିବେ । ଏହି ସମୟରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ବିଶେଷ ପଦେକ୍ଷପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି । ହବିଷ୍ୟାଳୀଙ୍କ ବ୍ରତ ପାଳନ ନିମନ୍ତେ ରାଜ୍ୟ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, କାର୍ତ୍ତିକ ବ୍ରତ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅନେକ ହବିଷ୍ୟାଳୀ ମା’ମାନେ ଏକାଠି ହୋଇଥାନ୍ତି । ହବିଷ୍ୟାଳୀ ମା’ଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ।
ହବିଷ୍ୟାଳୀ ମା’ଙ୍କ ପାଇଁ ଏକ ମାସ ଧରି ପୁରୀରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ରହଣି, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ବ୍ରତ ପାଳନ ସମୟରେ ସେମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏହାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।