ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ରଥିଆ ଗାଁରେ ନିଖୋଜ ଥିବା ଛାତ୍ର ମୃତ ଦେହ ଉଦ୍ଧାର ହୋଇଛି । ଗାଁ ନିକଟସ୍ଥ ଶଗଡ଼ିଆ ନାଳରେ ନିଖୋଜ ଛାତ୍ର ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଛି । ମୃତ ଛାତ୍ର ଜଣକ ହେଲେ ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା। ସେ ଯୁକ୍ତ ଦୁଇରେ ପାଠ ପଢୁଥିଲେ ।
ବାପା ନରହରି ବେହେରାଙ୍କ ଅଭିଯୋଗ ମୁତାବକ, ଗତ ଦୁଇ ଦିନ ତଳେ ରୁଦ୍ର ପ୍ରସାଦ ନିଜ ସାଙ୍ଗଙ୍କ ସହିତ ରାତିରେ କେଉଁଆଡ଼େ ଯାଇଥିଲେ । ରାତିରେ ଘରୁ ବାହାରିବା ସମୟରେ ସେ ପୁଅକୁ ବାରଣ ମଧ୍ୟ କରିଥିଲେ । କିନ୍ତୁ ରୁଦ୍ର ବାପାଙ୍କ କଥା ନ ମାନି ଚାଲି ଯାଇଥିଲେ । ଏହା ପରେ ସେ ଘରକୁ ଫେରି ନଥିଲେ । ପରିବାର ଲୋକ ତାଙ୍କୁ ଅନେକ ଆଡେ ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା ।
ତେବେ ଆଜି ସକାଳେ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରେ ଜଣଙ୍କ ମୃତ ଦେହ ଭାସୁଥିବାରୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଏହା ପରେ ତାଙ୍କ ପରିବାର ଲୋକ ପହଁଚି ପୁଅର ମୃତ ଦେହକୁ ଚିହ୍ନଟ କରିଛନ୍ତି । ପୁଅର ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ପୋଲିସ ମର ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।