ଭୁବନେଶ୍ୱର: ଆଜି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭିନ୍ନ ପୋର୍ଟାଲର ଉଦଘାଟନ ଓ ପୁସ୍ତକ ଉନ୍ମୋଚନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ନିପୁଣ ଓଡ଼ିଶା’, 'ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ' (ଡିପ୍), ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି), କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ଏବଂ ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଂକ୍ଷୀ ପାଠ୍ୟକ୍ରମ ପୁସ୍ତିକା, ଜୈବ ବିବିଧତା ପୁସ୍ତିକା ଓ ସଫଳତାର ଶୀର୍ଷରେ ଆମ ପ୍ରତିଭା ପୁସ୍ତକ ଉନ୍ମୋଚନ କରାଯାଇଛି ।
ଆସନ୍ତୁ ପୋର୍ଟାଲ ସମ୍ବନ୍ଧରେ ଜାଣିବା ବିସ୍ତୃତରେ
‘ନିପୁଣ ଓଡ଼ିଶା’ :- ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ (FLN)ର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବେ ।
'ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ' (ଡିପ୍) :- ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଏବଂ କୋଡିଂ ଶିକ୍ଷା ଦେବା ପାଇଁ 'ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ' (ଡିପ୍)ର ଶୁଭାରମ୍ଭ କରାଯାଇଛି। ଏହାଦ୍ଵାରା ବିଦ୍ୟାର୍ଥୀମାନେ ଆଗାମୀ ଦିନରେ କମ୍ପ୍ୟୁଟର ଶିକ୍ଷା ଓ କୋଡିଂରେ ସଫଳତା ପାଇବେ।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି):- ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା, ଏକାଡେମିକ୍ କ୍ୟାଲେଣ୍ଡର, ପରୀକ୍ଷା କାର୍ଯ୍ୟସୂଚୀ, ଫଳାଫଳ ଏବଂ ବିଜ୍ଞପ୍ତି ସହଜରେ ପାଇପାରିବେ । ଏହି ୱେବସାଇଟକୁ ଉପଭୋକ୍ତା-ଅନୁକୂଳ କରାଯାଇଛି, ଯାହାଦ୍ବାରା ସମସ୍ତେ ଏହାକୁ ସହଜରେ ବ୍ୟବହାର କରି ଆବଶ୍ୟକୀୟ ସୂଚନା ପାଇପାରିବେ। ଏହି ପୋର୍ଟାଲରେ ଶୈକ୍ଷିକ ଆଳାପ ପାଇଁ ବ୍ୟବସ୍ଥା ରହିଛି ।
କ୍ୟାରିୟର ଗାଇଡାନ୍ସ ପୋର୍ଟାଲ:- କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର କ୍ୟାରିଅର ବିଷୟରେ ସୂଚନା ପାଇପାରିବେ । ଏହା ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ଉପକୃତ ହେବେ। ଯାହା କ୍ୟାରିଅର ବିଷୟରେ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରାଇବ। ଏହା ବିଭାଗର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ଏକ ଅଂଶ।
ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ:- ରାଜ୍ୟରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଖୋଲିବା, ମାନ୍ୟତା ପ୍ରମାଣପତ୍ର ଏବଂ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଭଳି ବିଭିନ୍ନ ସେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏହି ପୋର୍ଟାଲ ମାଧ୍ୟମରେ ଅପଲୋଡ୍ କରାଯାଇପାରିବ ।