ଆଜି ରାତିରେ ଗଭୀର ଅବପାତ ବାତ୍ୟାର ରୂପ ନେବ । ତେବେ ଓଡ଼ିଶା ପ୍ରତି ନାହିଁ ବାତ୍ୟା ବିପଦ କିନ୍ତୁ ରାତିରୁ ଉତ୍ତର ଉପକୂଳ ଓଡ଼ିଶାରେ ଆରମ୍ଭ ହେବ ବର୍ଷା । ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବରର କିଛି ସ୍ଥାନରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ବାତ୍ୟା ରିମାଲ, ପଶ୍ଚିମବଙ୍ଗର ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଆଜି ରାତିରେ ବଙ୍ଗୋପସାଗରେ ବାତ୍ୟା ରିମାଲ ସୃଷ୍ଟି ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର ଦିଗକୁ ଗତି କରିବ । ଆଜି ମଧ୍ୟରାତିରେ ବାତ୍ୟା ଏବଂ କାଲି ଏହା ଭୀଷଣ ବାତ୍ୟାର ରୂପ ନେଇ କାଲି ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ଯ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ।
ବାତ୍ୟା ଅତିକ୍ରମବେଳେ ପବନ ବେଗ ୧୧୦ରୁ ୧୨୦ କିମି ପ୍ରତି ଘଣ୍ଟା ବହିବ ମଝିରେ ମଝିରେ ଏହା ୧୩୫ କି.ମି ପର୍ଯ୍ୟନ୍ତ ବଢିପାରେ। ବିଶେଷ କରି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିବ ।
ତେବେ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।