ଆଇପିଏଲର ୨୪ ତମ ମ୍ୟାଚରେ ଏକ ରୋମାଞ୍ଚକର ଅନ୍ତ ଘଟିଛି । ଗୁଜୁରାଟକୁ ପରାଜୟର ଦ୍ୱାରରୁ ଫେରାଇ ଆଣିଛନ୍ତି ରାଶିଦ ଖାନ । ଶେଷ ବଲରେ ପହଞ୍ଚିଥିବା ମ୍ୟାଚକୁ ବାଜି ମାରିବାରେ ସଫଳ ହୋଇଛି ଗୁଜୁରାଟ ଟାଇଟନ୍ସ । ପଏଣ୍ଟସ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ଶେଷରେ ଚଳିତ ଆଇପିଏଲରେ ପ୍ରଥମ ପରାଜୟର ସ୍ୱାଦ ଚାଖିଛି । ରାଶିଦ ଖାନଙ୍କ ଅଲ ରାଉଣ୍ଡ ପ୍ରଦର୍ଶନ ଫଳରେ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି । ପରାଜୟ ସତ୍ୱେ ରାଜସ୍ଥାନ ପଏଣ୍ଟସ ଟେବୁଲର ଶୀର୍ଷରେ ଥିବାବେଳେ ଗୁଜୁରାଟ ପଞ୍ଚମ ସ୍ଥାନରେ ରହିଛି ।
ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୟଶସ୍ଵୀ ୨୪, ବଟଲର ୮, ସଂଜୁ ୬୮, ରିୟାନ ପରାଗ ୭୬ ଓ ହେଟମାୟାର ୧୩ ରନ ସଂଗ୍ରହ କରିଥିଲେ । ଯାହାଫଳରେ ରାଜସ୍ଥାନର ଦଳୀୟ ସ୍କୋର ୧୯୬ ରେ ପହଞ୍ଚିଥିଲା । ରାଜସ୍ଥାନ ହରାଇଥିବା ୩ଟି ୱିକେଟ୍ ମଧ୍ୟରୁ ଗୋଟିଏ ୱିକେଟ୍ ଉମେଶ ଯାଦବ ନେଇଥିବାବେଳେ ଗୋଟିଏ ଲେଖାଏଁ ୱିକେଟ୍ ରାଶିଦ ଖାନ ଓ ମୋହିତ ଶର୍ମା ନେଇଥିଲେ । ଦ୍ଵିତୀୟ ଇନିଂସରେ ସାଇ ସୁଦର୍ଶନ ଓ ଶୁଭମନ ଗିଲ ୬୪ ସଂଗ୍ରହ କରିଥିବାବେଳେ ଗୁଜୁରାଟ ପ୍ରଥମ ୱିକେଟ୍ ହରାଇଥିଲା । ସାଇ ସୁଦର୍ଶନ ୩୫ ରନ ସଂଗ୍ରହ କରି ୱିକେଟ୍ ହରାଇଥିଲେ । ଶୁଭମନ ଗିଲ ୭୨ ରନ କରି ନିଜ ୱିକେଟ୍ ହରାଇଥିଲେ । ବିଜୟ ଶଙ୍କର ୧୦ ବଲରେ ୧୬, ରାହୁଲ ତେୱତୀଆ ୧୧ ବଲରେ ୨୨, ଶାହରୁଖ ଖାନ ୮ ବଲରେ ୧୪ ଓ ରାଶିଦ ଖାନ ୧୧ ବଲରେ ୨୪ ରନ କରିଥିଲେ । ରାଜସ୍ଥାନ ପାଖରୁ କୁଲଦୀପ ସେନ ୩ଟି ୱିକେଟ୍ ନେଇଥିଲାବେଳେ ଚାହଲ ୨ଟି ୱିକେଟ୍ ଓ ଆଭେଶ ଖାନ ଗୋଟିଏ ୱିକେଟ୍ ନେଇଥିଲେ । ରାଶିଦ ଖାନ ଓ ରାହୁଲ ତେୱତୀଆ ଶେଷ ପର୍ଯ୍ୟନ୍ତ ଲଢେଇ କରି ମ୍ୟାଚ ଜିତାଇବାରେ ସଫଳ ହୋଇଥିଲେ ।
ଅଧିକ ପଢନ୍ତୁ : ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟାନ୍ସ ମ୍ୟାଚରେ ବର୍ଷାର ସମ୍ଭାବନା !