ଅହମ୍ମଦାବାଦ: ଶୁଭମନ ଗିଲଙ୍କ ନେତୃତ୍ୱରେ ଅହମ୍ମଦାବାଦରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଭାରତ ବିଶାଳ ବିଜୟ ହୋଇଛି । ମ୍ୟାଚର ତୃତୀୟ ଦିନରେ ଭାରତ ୧୪୦ ରନ୍ ବୃହତ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଦୁଇ ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ନିଜ ନାଁରେ କରିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ମ୍ୟାଚର ତୃତୀୟ ଦିନ (ଶନିବାର)ରେ ଭାରତୀୟ ଟିମ୍ ୪୪୮ରେ ପାଳି ଘୋଷଣା କରିଥିଲା ଏବଂ ୱେଷ୍ଟଇଣ୍ଡିଜକୁ ୨୮୭ ରନର ଟାର୍ଗେଟ୍ ଦେଇଥିଲା । କିନ୍ତୁ ବିପକ୍ଷ ଦଳ ଏହାକୁ ପିଛା କରିପାରିନଥିଲା । ଦଳ ୪୫ ଓଭର୍ ଗୋଟିଏ ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୬ ରନ୍ କରିବାରେ ସଫଳ ହୋଇଥିଲା । କୁଲଦୀପ ଯାଦବ ଶେଷ ୱିକେଟ୍ ନେଇ ଦଳକୁ ବିଜୟୀ କରାଇଥିଲେ ।
୩ୟ ଦିନରେ ଭାରତୀୟ ବୋଲର୍ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ୨ୟ ଦିନରେ ବିଶାଳ ସ୍କୋର୍ କରିଥିବା ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ୧୩ ଓଭରରେ ୫୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ସିରାଜ୍ ୩, କୁଲଦୀପ ଯାଦବ ୨ ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଥିଲେ । ତେବେ ଯଶପ୍ରୀତଙ୍କ ଖାତାକୁ କୌଣସି ୱିକେଟ୍ ଆସିନଥିଲା ।
ମ୍ୟାଚର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା । କିନ୍ତୁ ଭ୍ରମଣ ଦଳ ୱେଷ୍ଟଇଣ୍ଡିଜ୍ ଅଧିକ ସମୟରେ ପଡ଼ିଆରେ ତିଷ୍ଠି ପାରିନଥିଲା । ୪୪ ଓଭର୍ ଗୋଟିଏ ବଲ୍ ଖେଳି ଦଳ ୧୬୨ରେ ଅଲଆଉଟ୍ ହୋଇଥିଲା । ମହମ୍ମଦ ସିରାଜ ୪, ଯଶପ୍ରୀତ ବୁମରାହ ୩, କୁଲଦୀପ ଯାଦବ ୨ ଏବଂ ୱାଶଂଟନ୍ ସୁନ୍ଦର ୧ ୱିକେଟ୍ ନେଇଥିଲେ । ଏହା ପରେ ଭାରତର ପାଳି ଆରମ୍ଭ ହୋଇଥିଲା । ଗତକାଲିର ୨ ଦିନରେ ମ୍ୟାଚରେ ଭାରତୀୟ ବ୍ୟାଟମ୍ୟାନମାନେ ଖାଲି ଶତକ ପରେ ଶତକ ଯୋଡ଼ିଥିଲେ । କେ ଏଲ୍ ରାହୁଲ ୧୦୦ (୧୯୭ ବଲ୍), ଧ୍ରୁବ ଜୁରେଲ୍ ୧୨୫ (୨୧୦ ବଲ୍) ଓ ଅଲରାଉଣ୍ଡର୍ ଜାଡ଼େଜା ୧୦୪ (୧୭୬ବଲ୍) କରିଥିଲେ । ତ୍ରୀଶତକ ସହିତ ଭାରତ ୫ଟି ୱିକେଟ୍ ହରାଇ ୪୪୮ ରନ୍ କରି ପାଳି ଘୋଷଣା କରିଥିଲା । ଯାହାକୁ ୱେଷ୍ଟଇଣ୍ଡିଜ ଟିମ୍ ଟପି ପାରିନଥିଲା ।