ଅଧା ରହିଗଲା ଦ୍ୱିତୀୟ କୋଣାର୍କର ସ୍ୱପ୍ନ : ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କୁ ଆଜି ଝୁରୁଛି ଓଡିଶା
Khabar Odisha:remembering-padmasree-raghunath-mohapatra
ଖବର ଓଡିଶା : 09/05/2023:

ଦୁଇ ବର୍ଷ ତଳେ ଠିକ୍ ଆଜିର ଦିନରେ ଓଡ଼ିଆ କଳା ସ୍ଥାପତ୍ୟ ଇତିହାସରେ ଆସିଥିଲା ଦୁଃଖର ଖବର । ମହାମାରୀ କରୋନାରେ ଆଖି ବୁଜିଥିଲେ  ପଦ୍ମଶ୍ରୀ ତଥା ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର । ଖାଲି ରଘୁନାଥଙ୍କୁ ନୁହେଁ ତାଙ୍କର ଦୁଇ ପୁଅଙ୍କୁ ମଧ୍ୟ ଛଡ଼େଇ ନେଇଥିଲା ମହାମାରୀ କରୋନା । ରଘୁନାଥଙ୍କ ମୃତ୍ୟୁକୁ ଆଜି ଦୁଇ ବର୍ଷ ପୂରିଛି । ପଥରକୁ ଜୀବନ୍ତ କରି କଥା କୁହାଇପାରୁଥିବା ମଣିଷ ଆଜକୁ ଠିକ୍ ଦୁଇ ବର୍ଷ ତଳେ ଦୁନିଆ ଛାଡ଼ିଥିଲେ । ଆଜି ବି ତାଙ୍କୁ ଓଡ଼ିଶା ଝୁରୁଛି । ସ୍ରଷ୍ଟା ନାହିଁ । ହେଲେ ସୃଷ୍ଟି ଅଛି । ସେହି ନିର୍ଜୀବ ସୃଷ୍ଟି ଆଜି ବି ବଖାଣୁଛି ତା ସ୍ରଷ୍ଟାର ମହାନତା । ଦ୍ୱିତୀୟ କୋଣାର୍କର ସ୍ୱପ୍ନ ସିନା ତାଙ୍କର ଅଧୁରା ରହିଗଲା ହେଲେ ଓଡ଼ିଶାର କୋଣ ଅନୁକୋଣରେ ତାଙ୍କ ଦ୍ୱାରା ନିର୍ମିତ ସ୍ଥାପତ୍ୟ ହିଁ ପ୍ରମାଣ ଦେଉଛି ତାଙ୍କ ମହାନତାର । ସେଗୁଡ଼ିକ ସଗର୍ବେ ଛିଡାହୋଇ ରଘୁନାଥଙ୍କ ଯଶକୀର୍ତ୍ତି ଗାନ କରୁଛନ୍ତି । ରାଜଧାନୀରେ ଛାତି ଉପରେ ସଗର୍ବେ ଛିଡ଼ା ହୋଇଥିବା କୋଣାର୍କ ଘୋଡ଼ା । କେବଳ ଏହା ଓଡ଼ିଶା ବୀରତ୍ୱର ଗାଥା ବଖାଣେନି ବରଂ ଏହାର ଶିଳ୍ପୀ ରଘୁନାଥ ମହାପାତ୍ର କେତେ ଯେ ମହାନ ଥିଲେ ମୌନ ଅବସ୍ଥାରେ ତାହା ବି କହୁଛି । 

କେବଳ ସେତିକି ନୁହେଁ ତାଙ୍କ ନିହାଣ ମୁନରେ ସୃଷ୍ଟି ହୋଇଥିବା କଟକ ବାରବାଟୀ ଷ୍ଟାଡିୟମରେ ଥିବା ୧୨ଫୁଟର କୋଣାର୍କ ଘୋଡ଼ା, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ଭାରତୀୟ ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି,ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିର ଭଳି ହଜାର ହଜାର ଅନବଦ୍ୟ ସୃଷ୍ଟି ଆଜି ମୁକ୍ତ କଣ୍ଠରେ ବର୍ଣ୍ଣନା କରୁଛନ୍ତି ରଘୁନାଥଙ୍କର କୀର୍ତ୍ତିରାଜିକୁ । କେବଳ ଦେଶ କି ରାଜ୍ୟ ନୁହେଁ  ବିଦେଶରେ ବି ରହିଛି ତାଙ୍କ ସୃଷ୍ଟିରୁ ଅନେକ କୀର୍ତ୍ତିରାଜି ଯେମିତି କି ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି,ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ । ଆଜି ସେହି ମହାନ ଆତ୍ମାଙ୍କୁ ତାଙ୍କ ଶ୍ରାଦ୍ଧଦିବସରେ ଝୁରୁଛି ଓଡିଶା ଓ ଝୁରୁଛନ୍ତି ଓଡିଶାବାସୀ।

Subscribe

National International State Sports Entertainment