କୋଣାର୍କରେ ରଥଯାତ୍ରାର ଇତିହାସ । ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜାର ଅୟମାରମ୍ଭ କରିଥିଲେ l ସେହି ଦ୍ୱାପରଯୁଗର ସମୟ ଯୁଧିଷ୍ଠିର ରାଜାଙ୍କ ରାଜତ୍ୱକାଳରୁ ସାକ୍ୟ ସମ୍ବତ ଯାଏ ୨୫୨୬ବର୍ଷ, ବୁଦ୍ଧଦେବଙ୍କ ଜନ୍ମଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ୫୭୪ବର୍ଷ ଏବଂ ଯୀଶୁଙ୍କ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୩ବର୍ଷଯାଏଁ; ଅତଏବ ବର୍ତ୍ତମାନ କଳିଯୁଗକୁ ମିଶାଇ ୫୧୨୩ ବର୍ଷ ଅତିକ୍ରାନ୍ତ ହୋଇଗଲାଣି l ସୁତରାଂ ୫୧୨୩ ବର୍ଷ ପୂର୍ବେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ l ଯେଉଁ ସୂର୍ଯ୍ୟଦେବଙ୍କ ମଣିବିଗ୍ରହକୁ ଚନ୍ଦ୍ରଭାଗା ନଦୀରେ ସ୍ନାନ ସମୟରେ ପ୍ରାପ୍ତକରି ଶାମ୍ବ ସୂର୍ଯ୍ୟପୂଜା କରୁଥିଲେ, ମିତ୍ରାଦିତ୍ୟଂ ସେହି ସ୍ଥାନରେ ସୂର୍ଯ୍ୟମନ୍ଦିର ନିର୍ମାଣକରି ସେଥିରେ ବିଗ୍ରହକୁ ସ୍ଥାପନ କରିଥିଲେ l ସେବେଠାରୁ ସୂର୍ଯ୍ୟଦେବଙ୍କ ରଥଯାତ୍ରା ପାଳନ କରାଯାଉଥିବାର ଅନୁମାନ କରାଯାଏ l ପରବର୍ତ୍ତୀ କାଳରେ ରାଜାମାନେ ଥରକୁ ଥର ମନ୍ଦିର ନିର୍ମାଣ କରିଛନ୍ତି, ପରିଶେଷରେ ଲାଙ୍ଗୁଡା ନରସିଂହ ଦେବ ଏକ ଚଳନ୍ତା ରଥ ସଦୃଶ ସୂର୍ଯ୍ୟମନ୍ଦିରର ରୂପରେଖ ଦେଇଥିଲେ l ତେଣୁ ରଥ ସଦୃଶ୍ୟ ମନ୍ଦିର ତିଆରି ପୂର୍ବରୁ ଏଠାରେ ଲୌକିକ ରଥଯାତ୍ରା ହେଉଥିବାର ପ୍ରମାଣ ଦିଏ l
ମାଦଳା ପାଞ୍ଜିରେ କୋଣାର୍କରେ ମାଘ ସପ୍ତମୀ ଯାତ୍ରା ଉଲ୍ଲେଖ ଅଛି l କପିଳ ସଂହିତାରେ ଏହିସ୍ଥାନରେ ରଥଯାତ୍ରା ଓ ବ୍ରହ୍ମପୁରାଣରେ ଚୈତ୍ରମାସର ଶୁକ୍ଳପକ୍ଷ 'ଚୈତ୍ର ଯାତ୍ରା' ନାମରେ ଏଠାରେ ଏକ ଯାତ୍ରା ହେଉଥିବାର ବର୍ଣ୍ଣନା ରହିଛି l ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀରେ ମାଘ ସପ୍ତମୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୂର୍ଯ୍ୟପୂଜା ଉତ୍ସବ ପାଳନ ହେଉଥିଲା ବୋଲି ଡଃ. ନବୀନ କୁମାର ସାହୁ ଓଡ଼ିଆ ଜାତିର ଇତିହାସରେ ଲେଖିଛନ୍ତି l ଚୀନ ପରିବ୍ରାଜକ ହୁଏନଂସା ୬୪୧ଖ୍ରୀଷ୍ଠାବ୍ଦରେ ସୂର୍ଯ୍ୟରଥ ଉତ୍ସବ ଦେଖିଥିବାର ଉଲ୍ଲେଖ କରିଛନ୍ତି l ଗଙ୍ଗାଙ୍କ ୧୮୩ରେ ଚେକାକେଲ ତାମ୍ର ଶାସନରେ ରଥ ସପ୍ତମୀ ଉପଲକ୍ଷେ ଗ୍ରହ ବ୍ରାହ୍ମଣମାନଙ୍କୁ ଭୂମିଦାନର କରାଯାଇଥିବାର ସୂଚନା ମିଳେ l ଅନଙ୍କଭୀମ ଦେବଙ୍କ ରାଜତ୍ୱ ୨୯ ବର୍ଷରେ ସନ ୧୧୫୭ ଖ୍ରୀଷ୍ଟାବ୍ଦରେ ମାଘ ଶୁକ୍ଳ ସପ୍ତମୀରେ ଚନ୍ଦ୍ରଭାଗା ସ୍ନାନପରେ ରଥଯାତ୍ରାରେ ସୂର୍ଯ୍ୟ ଉପାସକ ଗ୍ରହ ବ୍ରାହ୍ମଣ କୃର୍ତ୍ତିବାସ ନାୟକଙ୍କୁ ଦୁଇଟି ଭୂମିଦାନ ବିଷୟ ଶ୍ରୀକ୍ଷେତ୍ର ପାତାଳେଶ୍ୱର ମନ୍ଦିର ଦେହରେ ଖୋଦିତ ଅଛି l
ଏହି ରଥଯାତ୍ରା ପୁରୀ ରଥଯାତ୍ରାଠାରୁ ପ୍ରାଚୀନ ଅଟେ l କିନ୍ତୁ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ଚନ୍ଦ୍ରଭାଗା ବୁଡ ଉପଲକ୍ଷେ କୋଣାର୍କରେ ମାଘମାସ ଶୁକ୍ଳ ପଞ୍ଚମୀ ଦିନ ରଥଯାତ୍ରା ଗୁଣ୍ଡିଚା ଯାତ୍ରା ପରି ପାଳନ ହେଉଥିଲା l ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ l ବର୍ଷର ପ୍ରତି ଦୁଇମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ l ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି l କିନ୍ତୁ ପ୍ରତି ଦୁଇ ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହେବାର ଗବେଷକ ଡଃ. ଉପେନ୍ଦ୍ର ନାଥ ଭୋଳ ପ୍ରମାଣ ଦେଇଛନ୍ତି l ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିରେ ମାଘ ମାସ ଏକ ପୂଣ୍ୟର ମାସ l "ତ୍ରିବେଣୀ ଅମାବାସ୍ୟା", 'ଶ୍ରୀପଞ୍ଚମୀ', 'ମାଘସପ୍ତମୀ' ଇତ୍ୟାଦି ପୂଣ୍ୟଦିବସ ମାନ ମାଘମାସର ତାତ୍ପର୍ଯ୍ୟକୁ ବଢାଇ ଦେଇଥାଏ l
ଇତିହାସରୁ ଜଣାଯାଏ : ପ୍ରାଚୀନ କାଳରେ ପୂର୍ବ ଭାରତରେ ପ୍ରମୁଖ ବନ୍ଦର 'କୋଣ', 'କମଣ' ଓ 'କୋଣାର୍କ'କୁ ବିଶ୍ୱର "ବାଣିଜ୍ୟ ଦ୍ୱାର" ବୋଲି କୁହାଯାଉଥିଲାl ସେଥିପାଇଁ ଆଜିର ବଙ୍ଗୋପସାଗର 'କଳିସାଗର' ନାମରେ ପ୍ରସିଦ୍ଧ ଥିଲାl ଆଜିର ଗବେଷକମାନେ କହନ୍ତି : ପ୍ରାଚୀନ 'ଚିତ୍ରୋତ୍ପଳା' ନଦୀ ହିଁ ଆଜିର 'ଚନ୍ଦ୍ରଭାଗା' ସ୍ଥାନ ନେଇଛିl ମାଘସପ୍ତମୀରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେl ମାଘସପ୍ତମୀ ଏକ ପବିତ୍ର ତିଥି ଓ ପ୍ରାଚୀନ ସ୍ମୃତିର ସଂସ୍କୃତିପୂର୍ଣ୍ଣ ଦିବସl ସାଧୁସନ୍ଥମାନଙ୍କ ସମାଗମରେ 'ଖଣ୍ଡଗିରି'ର ମାହାତ୍ମ୍ୟ ଅନେକ ବଢିଯାଏ ଏଇ ମାଘ ସପ୍ତମୀର ଆରମ୍ଭରୁ l
ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ । ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ । ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ । ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ ଓ ସୂର୍ଯ୍ୟ ଉପାସନାର ଗୁରୁତ୍ଵ ଓ ପ୍ରସିଦ୍ଧି ରହିଛି । ମାଘସପ୍ତମୀରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କ କିରଣ ଲାଭ କରିବା, ସମସ୍ତ ପ୍ରକାର ପାପରୁ ମୁକ୍ତି ପାଇବା ତଥା ରୋଗ ଓ ପୀଡ଼ା ନିବାରଣ ପାଇଁ ଲୋକଙ୍କ ସମାଗମ ଚନ୍ଦ୍ରଭାଗା ଯାତ୍ରା ଭାବେ ପରିଚିତ । ସମୟ ବଦଳିଥିଲେ ମଧ୍ୟ ଏଇ ପରମ୍ପରା ଆଜି ବି ପ୍ରଚଳିତ ।
ଏହି ପୁଣ୍ୟତିଥିରେ ଧର୍ମ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ପୀଠ ଅର୍କକ୍ଷେତ୍ର କୋଣାଦିତ୍ୟ ସୂର୍ଯ୍ୟକ୍ଷେତ୍ର ମିତ୍ରବାନକ୍ଷେତ୍ର କୋଣାର୍କରେ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟନାରାୟଣଙ୍କୁ ପୂଜାର୍ଚ୍ଚନା କରି ନବଗ୍ରହଙ୍କୁ ପୂଜା ମଧ୍ୟ କରିଥା’ନ୍ତି । ଏହି ମାଘ ସପ୍ତମୀ ବୁଡ଼ ପୁଣ୍ୟଦାୟକ ଓ ଆନନ୍ଦବର୍ଦ୍ଧକ । ଏହି ପବିତ୍ର ତିଥିରେ ତିଳ ଲଗାଇ ଦାନଧର୍ମ କଲେ କୋଟି ଗୋଦାନର ପୁଣ୍ୟ ମିଳେ ବୋଲି ବିଶ୍ଵାସ । ତିଳର ବ୍ୟାପକ ବ୍ୟବହାର ପାଇଁ ଏ ତିଥି ମଧ୍ୟ ଖ୍ୟାତ ତିଳସପ୍ତମୀ ନାମରେ । ପୂଜ୍ୟ ସୂର୍ଯ୍ୟଦେବଙ୍କ ରଥରେ ସପ୍ତାଶ୍ୱ ସଂଯୁକ୍ତ ହୋଇଥିବା କାରଣରୁ ଏ ତିଥି ମଧ୍ୟ ରଥସପ୍ତମୀ । ସହସ୍ର ସହସ୍ର ବର୍ଷ ଧରି ଏପରି ଧର୍ମ ଭାବନା ଜନସାଧାରଣଙ୍କୁ ନିଷ୍ଠା ଓ ପବିତ୍ରତାରେ ଉଦବୁଦ୍ଧ କରିଆସୁଛି ।
ମାଘ ସପ୍ତମୀ | ସୂର୍ଯ୍ୟଦେବଙ୍କୁ ରୋଗନାଶକ ବୋଲି ବେଦ, ପୁରାଣରେ ଉଲ୍ଲେଖ ରହିଛି | ତେଣୁ ଶରୀରକୁ ନିରୋଗ ରଖିବା ପାଇଁ ମାଘ ସପ୍ତମୀରେ ପବିତ୍ର ନଦୀ, ତୀର୍ଥସ୍ଥଳୀରେ ବୁଡ଼ ପକାଯାଇଥାଏ | ଏହିଦିନ ପବିତ୍ର ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଦୀପଦାନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳିଥାଏ | ଏହି ଦିନ ସୂର୍ଯ୍ୟପୂଜା କରିବା ସହ ବିନା ଲଵଣଯୁକ୍ତ ଖାଦ୍ୟ ଭୋଜନ କଲେ ରୋଗରୁ ମୁକ୍ତି ମିଳିଥାଏ ଏବଂ ଋଣରୁ ମୁକ୍ତି ମିଳିବା ସହ ଅର୍ଥାଭାବ ଦୂର ହୋଇଥାଏ | ଏହି ଦିନ ଦାନର ମଧ୍ୟ ବିଶେଷ ମହତ୍ୱ ରହିଥାଏ | ଆଜି ଗରିବ, କୁଷ୍ଠରୋଗୀଙ୍କୁ ସାହାଯ୍ୟ, ଦାନ, ଖାଦ୍ୟପେୟ ଦ୍ୱାରା ସନ୍ତୁଷ୍ଟ କରନ୍ତୁ |
ଏହି ମାଘ ସପ୍ତମୀ ମହତ୍ୱକୁ ନେଇ ଏକ ବିଶେଷ ପୌରାଣିକ କଥା ରହିଛି | ପ୍ରାଚୀନକାଳରେ ଇନ୍ଦୁମତୀ ନାମକ ଏକ ବେଶ୍ୟା ଥିଲା | ଇନ୍ଦୁମତୀ ଋଷି ବଶିଷ୍ଠଙ୍କ ପାଖକୁ ଯାଇ କିପରି ପାପରୁ ମୁକ୍ତି ମିଳିବ ଓ ମୋକ୍ଷ ପ୍ରାପ୍ତି କିପରି ତାର ହୋଇପାରିବ ବୋଲି ପ୍ରଶ୍ନ କରିଥିଲା | ଋଷି ଇନ୍ଦୁମତୀକୁ ମାଘ ସପ୍ତମୀ ଦ୍ୱାରା ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଲିପାରେ ବୋଲି ଉପଦେଶ ଦେଇଥିଲେ | ମାନବଜାତିର ମୁକ୍ତି, ସୌନ୍ଦର୍ଯ୍ୟ ଓ ସୌଭାଗ୍ୟ ବୃଦ୍ଧି ପାଇଁ ମାଘ ସପ୍ତମୀରେ ପବିତ୍ର ସ୍ନାନ କଲେ ଅଶେଷ ପୁଣ୍ୟ ମିଲିଥାଏ | ଏହି ବ୍ରତ ନିଷ୍ଠାର ସହ କରିବା ଦ୍ୱାରା ଇନ୍ଦୁମତୀ ଦେହତ୍ୟାଗ ପରେ ସ୍ୱର୍ଗଲୋକରେ ସ୍ଥାନ ପାଇଥିଲେ ଏବଂ ସହସ୍ର ଅପସରା ମାନଙ୍କର ନାୟିକା ହୋଇଥିଲେ | ସେହିଦିନ ଠାରୁ ପ୍ରତ୍ୟେକ ନରନାରୀ ମାଘ ସପ୍ତମୀରେ ପବିତ୍ର ସ୍ନାନ କରନ୍ତି | ଏହି ଅଲଭ୍ୟ ସ୍ନାନ ଦ୍ୱାରା ସୂର୍ଯ୍ୟଦେବଙ୍କ କୃପାରୁ ଶରୀର ଆରୋଗ୍ୟ ରହିବା ସହ ମୋକ୍ଷପ୍ରାପ୍ତିର ମାର୍ଗ ପ୍ରଶସ୍ଥ ହୋଇଥାଏ |
କୋଣାର୍କରେ ଆଜି ସୂର୍ଯ୍ୟଦେବଙ୍କ ରଥଯାତ୍ରା ଆୟୋଜିତ ହୋଇଥାଏ | ଆଜି ଅର୍କକ୍ଷେତ୍ରରେ ଶ୍ରୀ ଐସାନେଶ୍ୱର, ଶ୍ରୀ ଦକ୍ଷିଣେଶ୍ୱର ଓ ତ୍ରିବେଣିଶ୍ୱରଙ୍କ ଚଳନ୍ତି ପ୍ରତିମା ପ୍ରଥମେ ସ୍ନାନ କରିବା ପରେ ପବିତ୍ର ବୁଡ଼ ପ୍ରାରମ୍ଭ ହୋଇଥାଏ | ଆଜି ଚନ୍ଦ୍ରଭାଗାରେ ଅଲଭ୍ୟ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଦର୍ଶନ କଲେ ଅକ୍ଷୟ ପୁଣ୍ୟ ମିଳିଥାଏ | ଆଜି ମଧ୍ୟ ଶ୍ରୀ ଲିଙ୍ଗରାଜ ଓ ଲଡ଼ୁବାବାଙ୍କ ମନ୍ଦିରରେ ସପ୍ତମୀ ଯାତ୍ରା ଆୟୋଜିତ ହୋଇଥାଏ | ଆଜି ଠାରୁ ଖଣ୍ଡଗିରିରେ ପୂର୍ଣ୍ଣମୀ ପର୍ଯ୍ୟନ୍ତ କୁମ୍ଭମେଳା ଆୟୋଜିତ ହୋଇଥାଏ | ତେଣୁ ଖଣ୍ଡଗିରି ସାଧୁସନ୍ଥଙ୍କର ସମାଗମ ହୋଇଥାଏ | ଆଜି ଖଣ୍ଡଗିରିରେ ଖଣ୍ଡଖିରି ପ୍ରସାଦ ରୂପେ ଭକ୍ତଙ୍କୁ ବଣ୍ଟାଯାଏ | ଗଂଜାମ ଜିଲ୍ଲା କୁମୁଡାରେ ବିରଞ୍ଚିନାରାୟଣ ମନ୍ଦିରରେ ସୂର୍ଯ୍ୟଉପାସନା ଓ ଯାତ୍ରା ଅନୁଷ୍ଠିତ ହୋଇଥାଏ |