ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଗାଁ ଠୁ ସହର । ହିନ୍ଦୁ ପରମ୍ପରାରେ ଆଜିର ଦିନ ଟି କୁ ଖୁବ ପ୍ରଧ୍ୟାନ୍ୟ ଦିଆଯାଏ । କାରଣ ଏହି ଦିନରେ ମାସ ସାରା ଭକ୍ତ ମାନେ ହବିଷ୍ୟ କରି ଅନ୍ତିମ ଦିନରେ ଶ୍ରଦ୍ଧା ଏବଂ ଭକ୍ତିର ସହ ଧର୍ମର ଡ଼ଙ୍ଗା ଭସେଇ ଥାନ୍ତି । ପଞ୍ଚୁକର ଶେଷ ଦିନ ଡଙ୍ଗା ଭସାଇବା ପାଇଁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାହିଁ କେଉଁ କାଳରୁ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ବୋଇତ ବନ୍ଦାଣ ଉତ୍ସବକୁ ଆଜି ବି ପିଲା ଠୁ ବଡ଼ ସମସ୍ତେ ଅନେକ ଖୁସିର ସହ ପାଳନ କରିଥାନ୍ତି । ସେଥିପରି ସହରର ବିଭିନ୍ନ ଅନେକ ନଦୀ ବା ପୁଷ୍କରଣୀରେ ରଙ୍ଗ ବେରଙ୍ଗ ତଥା ଭିନ୍ନ ଭିନ୍ନ ପ୍ରକାରର ବୋଇତ ବା ଡଙ୍ଗା ଦେଖିବାକୁ ମିଳିଛି । କିଏ କାଗଜରେ ତିଆରି କରିଛି ତା ପୁଣି କିଏ ସୋଲରେ ତ ପୁଣି କିଏ କଦଳୀ ପାଟୁଆରେ ।
ସେହିପରି ବିଶ୍ୱଜିତ ନାୟକ ଆଇସ୍ କ୍ରିମ କାଠି ରେ ପୁରାତନଯୁଗର ଏକ ସାଧବ ବୋଇତ ତିଆରି କରି ନିଜର ଅଦ୍ଭୁତ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ଏହି ସୁନ୍ଦର ବୋଇତ ଟି ତିଆରି କରିବା ପାଇଁ ତାଙ୍କୁ 8 ଦିନର ସମୟ ଲାଗିଥିଲା । ଏହାକୁ ଆହୁରି ସୁନ୍ଦର କରିବା ପାଇଁ ସେ ସେଥିରେ କିଛି ଚିତ୍ର ମଧ୍ୟ ଆଙ୍କିଛନ୍ତି । ସମ୍ପୂର୍ଣ୍ଣ ବୋଇତ ଟିକୁ ତିଆରି କରିବା ପାଇଁ ସେ 375ଟି କାଠି ବ୍ୟବହାର କରିଥିଲେ । କେବଳ ଆଇସ୍ କ୍ରିମ କାଠି ଏବଂ ଅଠା ସାହାଯ୍ୟରେ ସେ ଏହି ସୁନ୍ଦର ବୋଇତ ତିଆରି କରିପାରିଛନ୍ତି ।
ପୁରାତନ କାଳରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଆଜି ମନେ ପକାଇଛନ୍ତି ସମସ୍ତେ । ସାଧବ ପୁଅ ମାନେ ଆଜିର ଦିନରେ ସାତ ଦରିଆ ପାର କରି ବିଦେଶରେ ବ୍ୟବସାୟ କରିବାକୁ ବାହାରୁଥିଲେ । ସାଧବ ବୋହୁ ମାନେ ସାଧବପୁଅ ମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାପନା କରି ସେମାନଙ୍କର ଶୁଭ ମନାସିଥାନ୍ତି । ସେହି ବୋଇତକୁ ତିଆରି କରି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିଶ୍ୱଜିତ ନାୟକ ।