ମହାରାଷ୍ଟ୍ରରେ ବିଜେପି ନେତା ପଙ୍କଜା ମୁଣ୍ଡେ ହଟାଇଲେ ପାର୍ଟିର ନାମ, ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଲା
Khabar Odisha:politics-odisha-pankaja-munde-removed-bjp-from-its-twitter-bio-amid-giving-hint-of-big-announcement-in-facebook-post
ମୁମ୍ବାଇ, ଡିସେମ୍ବର୦୨(ଖବର ଓଡ଼ିଶା):

କଣ ବିଜେପି ଛାଡ଼ିବେ ପଙ୍କଜା ମୁଣ୍ଡେ ? ଏହାକୁ ନେଇ ମହାରାଷ୍ଟ୍ରରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପଙ୍କଜା ମୁଣ୍ଡେ ସାମାଜିକ ଗଣମାଧ୍ୟମରେ ଏହାର ସଙ୍କେତ ଦେଇଛନ୍ତି। ଫେସବୁକ୍ ପୋଷ୍ଟ ପରେ ବର୍ତ୍ତମାନ ପଙ୍କଜା ମୁଣ୍ଡେ ଟ୍ଵିଟର ବାୟୋରୁ ବିଜେପିର ନାମ  ହଟାଇ ଦେଇଛନ୍ତି। ଏହାପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବସେନା ଏହା କହି ସସପେନ୍ସ ଆହୁରି ବଢ଼ାଇ ଦେଇଛି ଯେ, ତାଙ୍କ ସଂପର୍କରେ ଅନେକ ନେତା ଅଛନ୍ତି। ମାତ୍ର ମହାରାଷ୍ଟ୍ର ବିଜେପି ସଭାପତି  ଚନ୍ଦ୍ରକାନ୍ତ ପାଟିଲ ପଙ୍କଜା ମୁଣ୍ଡେଙ୍କ ପାର୍ଟି ଛାଡ଼ିବା ଖବରକୁ ଆଧାରହୀନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପିର ବରିଷ୍ଠ ନେତା ରହିଥିବା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ଫେସବୁକ ପୋଷ୍ଟରେ ଲେଖିଥିଲେ ଯେ, ଆଗାମୀ ଆଠରୁ ୧୦ ଦିନ ମଧ୍ୟରେ ସେ ନିଜର ଭବିଷ୍ୟତ ନେଇ ନିଷ୍ପତ୍ତି ନେବେ। ପଙ୍କଜାଙ୍କ ପରି ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଟ୍ଵିଟ୍ କରି ନିଜର ଟ୍ଵିଟରରୁ କଂଗ୍ରେସ ପାର୍ଟିର ନାମ ହଟାଇ ଦେଇଥିଲେ। ଏହା ପରେ ତାଙ୍କୁ ନେଇ ମଧ୍ୟ ଦଳରେ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି।

ପଙ୍କଜାଙ୍କ ଫେସବୁକ ପୋଷ୍ଟ ପରଠୁ ଦଳ ପ୍ରତି ତାଙ୍କର ଅସନ୍ତୋଷ ଥିବା ସାର୍ବଜନୀନ ହୋଇଥିଲା। ଏହା ପରଠୁ ପ୍ରଶ୍ନ ଉଠୁଥିଲା ଯେ କଣ ଦେବେନ୍ଦ୍ର ଫଡ଼ଣବିସଙ୍କଙ୍କ ବିରୋଧରେ ସେ ଖୋଲାଖୋଲି ବିଦ୍ରୋହ କରିବେ। ସୂତ୍ର ଅନୁଯାୟୀ ପାର୍ଟିର  ବରିଷ୍ଠ ନେତାଙ୍କ ସାମ୍ନାରେ  ନିଜର ସମସ୍ୟା ରଖିବା ସମୟରେ ପଙ୍କଜା ଦେବେନ୍ଦ୍ର ଫଡ଼ଣବିସଙ୍କ ବିରୋଧରେ ନିଜର ଆଭିମୁଖ୍ୟ ଜାହିର କରିଥିଲେ। ଏହା ପରେ ଏବେ ସେ ଟ୍ଵିଟରୁ ପାର୍ଟିର ନାମ ହଟାଇ ଦେଇଛନ୍ତି।

୮-୧୦ ଦିନରେ ଚିନ୍ତା କରିବାର ଅଛି

ଫେସବୁକ ପୋଷ୍ଟରେ ପଙ୍କଜା ଲେଖିଥିଲେ ଯେ, ବଦଳୁଥିବା ରାଜନୀତିରେ ନିଜର ଶକ୍ତିକୁ ପରଖିବା ଜରୁରୀ ଅଟେ। ମୋତେ ୮-୧୦ ଦିନ ମଧ୍ୟରେ କିଛି ଚିନ୍ତା କରିବାର ଅଛି  ଏବଂ ଡିସେମ୍ବର ୧୨ରେ ଆପଣଙ୍କ ସହ ସାକ୍ଷାତ କରିବି। ଏହି ଦିନ ଆମର ନେତା ଗୋପୀନାଥ ମୁଣ୍ଡେଙ୍କ ଜନ୍ମଦିନ। ମୁଁ ଆଗାମୀ ୮-୧୦ ଦିନରେ ଏହା ସ୍ଥିର କରିବି ଯେ, ମୋତେ ଆଗକୁ କଣ କରିବାକୁ ପଡ଼ିବ ଏବଂ କେଉଁ ମାର୍ଗରେ ଯିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ପଙ୍କଜା ମୁଣ୍ଡେଙ୍କୁ ନିର୍ବାଚନରେ ପରଲି ବିଧାନସଭା ଆସନରେ କକାଙ୍କ ପୁଅ ଧନଞ୍ଜୟ ମୁଣ୍ଡେଙ୍କଠୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା।

Subscribe

National International State Sports Entertainment