ନୂଆଦିଲ୍ଲୀ: ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରେ । । କଂଗ୍ରେସ ଏହି ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ଯାହାର ସମର୍ଥନ କରିଛି ଇଣ୍ଡି ମେଣ୍ଟ। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଜଗଦୀପ ଧନଖଡ଼ ପକ୍ଷପାତ କରୁଛନ୍ତି । ସେ ବିରୋଧୀ ଦଳର ସାଂସଦମାନଙ୍କୁ ଗୃହରେ ପ୍ରଶ୍ନ କରିବାକୁ ସୁଯୋଗ ଦେଉ ନାହାନ୍ତି। ମମତା ବାନାର୍ଜୀଙ୍କ ଟିଏମସି, ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏହି ପ୍ରସ୍ତାବର ସମର୍ଥନ କରିଛନ୍ତି। ବିରୋଧୀ ଦଳ ସମ୍ବିଧାନର ଅନୁଚ୍ଛେଦ ୬୭(ବି) ଆଧାରରେ ଏହି ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି। ରାଜ୍ୟସଭାରେ ରହି ରହି ହଙ୍ଗାମା ହେବାରୁ ଅନେକ ଥର ଗୃହ ସ୍ଥଗିତ ହେବାରୁ ପୂରା ଦିନ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏହି ସମୟରେ ଜଗଦୀପ ଧନଖଡ଼ ବିରୋଧୀ ସାଂସଦଙ୍କ ବ୍ୟବହାରରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିରୋଧୀ ସଦସ୍ୟ ଗୃହ କାର୍ଯ୍ୟରେ ବାଧା ଦେଇ ଗଣତନ୍ତ୍ର ମନ୍ଦିରକୁ ଅପମାନିତ କରୁଛନ୍ତି।
ରାଜ୍ୟସଭାରେ ସୋମବାର ଶାସକ ଓ ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହୋ ହାଲ୍ଲା କରିଛନ୍ତି। ଫଳରେ ରାଜ୍ୟସଭାରେ ଗୃହକାର୍ଯ୍ୟ ତିନି ଥର ସ୍ଥଗିତ ରହିବା ପରେ ଅପରାହ୍ଣ ୩ଟା ୧୦ ମିନିଟ୍ରେ ପୂରା ଦିନର ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଛନ୍ତି। ଏନଡିଏର ସାଂସଦମାନେ କଂଗ୍ରେସ ଦଳ ଓ ଏହାର ନେତାମାନେ ବିରୋଧୀ ସଂଗଠନ ଓ ଲୋକଙ୍କ ଜରିଆରେ ଦେଶର ଅର୍ଥନୀତିକୁ ଅସ୍ଥିର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତୃତ୍ଵରେ ବିରୋଧୀ ଦଳ ଆଦାନୀ ଗ୍ରୁପ ସଂପର୍କିତ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।