ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଟାରିଫ୍ ହ୍ରାସ ପରେ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସାଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି । ଆଲୋଚନା ପରେ ସରକାର ଧୈର୍ଯ୍ୟ ରଖିଲେ ଏବଂ ସେହି ଧୈର୍ଯ୍ୟର ପରିଣାମ ସ୍ୱରୁପ ଆଜିର ଏହି ଐତିହାସିକ ବାଣିଜ୍ୟିକ ଚୁକ୍ତି ସମ୍ଭବପର ହୋଇପାରିଛି ।
ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ କହିଛନ୍ତି ଯେ ଆମେରିକା ସହିତ ହୋଇଥିବା ଟାରିଫ୍ ଡିଲ୍ ଏକ ବଡ଼ କୂଟନୈତିକ ଏବଂ ଆର୍ଥିକ ପଦକ୍ଷେପ । ଏହି ଚୁକ୍ତି ଦ୍ୱାରା ସାରା ଦେଶରେ ଏକ ସକାରାତ୍ମକ ପରିସ୍ଥିତି ଉତ୍ପନ୍ନ ହୋଇଛି । ବୈଠକରେ ମୋଦୀ ସଂସଦର ଅନୁଶାସନ ଏବଂ ସାଂସଦଙ୍କ ସକ୍ରିୟ ଉପସ୍ଥିତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସଂସଦର ଗୃହ କାର୍ଯ୍ୟରେ ଉପସ୍ଥିତ ରହିବା ଏବଂ ଚର୍ଚ୍ଚାରେ ଅଂଶଗ୍ରହଣ କରିବାକୁ ମୋଦୀ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି । ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଆଇନ ପ୍ରଣୟନ ପ୍ରକ୍ରିୟାକୁ ସୁଦୃଢ଼ କରିବା ସାଂସଦମାନଙ୍କର ମଧ୍ୟ ଦାୟିତ୍ୱ । ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖକୁ ପହଞ୍ଚି ବଜେଟର ସଫଳତାକୁ ଆଲୋକପାତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ବଜେଟର ପଦକ୍ଷେପଗୁଡ଼ିକ ବିଷୟରେ ଜନସାଧାରଣଙ୍କୁ ଜଣାଇବାର ସମୟ ଆସିଛି ଯାହା ସେମାନଙ୍କ ଜୀବନ ଏବଂ ସ୍ଥାନୀୟ ଅର୍ଥନୀତିକୁ ଲାଭଦାୟକ କରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ ଏବେ ବିଶ୍ୱ ସ୍ତରରେ ଏହାର ଉତ୍ପାଦନ କ୍ଷମତାକୁ ମଜବୁତ କରିବାକୁ ପଡିବ। ଉତ୍ପାଦନ ବୃଦ୍ଧି ଏବଂ ଦେଶ ମଧ୍ୟରେ ଗୁଣାତ୍ମକ ଉତ୍ପାଦ ଉତ୍ପାଦନ କରିବା ବର୍ତ୍ତମାନର ସବୁଠାରୁ ଜରୁରୀ ଆବଶ୍ୟକତା। ଦେଶକୁ ଏବେ "ମେଡ୍ ଇନ୍ ଇଣ୍ଡିଆ"ର ଗୁଣବତ୍ତା ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାକୁ ପଡିବ।
ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ପରେ ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦ ପରିସରରେ ସମ୍ମାନୀତ କରାଯାଇଛି । କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଏହାକୁ ନୂଆ ଯୁଗର ରଣନୈତିକ ଏବଂ ଆର୍ଥିକ ବୁଝାମଣା ବୋଲି ଅବିହିତ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଆମଦାନୀ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଟାରିଫ ବୃଦ୍ଧିକୁ ନେଇ ଭାରତ ଏବଂ ଆମେରିକା ସମ୍ପର୍କ ମଧ୍ୟରେ ଦେଖା ଦେଇଥିବା ତିକ୍ତତାରେ କାଲିର ଘୋଷଣା ସୁଧାର ଆଣିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ।