ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କୁ ନେଇ ରାଜନୀତି କରୁଥିବା ବିଜୁ ଜନତା ଦଳକୁ ଆଜି ଶାଣିତ ସ୍ୱରରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ବିଜେଡ଼ିର ଅସଲମୁଖା ଖୋଲି ଦେଇଛନ୍ତି ବିଜେପି ବିଧାୟକ । ସେ କହିଛନ୍ତି ଯେ ବିଜେଡ଼ି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ ଏବଂ ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ, ସରକାର ଥିଲାବେଳେ ବି ଏବଂ ଏବେବି ।
ଟଙ୍କଧର କହିଛନ୍ତି, ମହିଳାମାନଙ୍କ ସହ ଥିଲୁ ଓ ମହିଳାମାନଙ୍କ ସହ ଅଛୁ କହିଲେ ନବୀନ ପଟ୍ଟନାୟକ । କିନ୍ତୁ ତାଙ୍କର ଯଦି ସତ ସାହାସ ଅଛି ତା ହେଲେ ଉତ୍ତର ଦିଅନ୍ତୁ ଯେ ମମିତା ମେହର, ପିପିଲିର ବେବିନା, କୁନ୍ଦୁଲି ପୀଡ଼ିତାମାନେ ଝିଅ ଥିଲେ କି ନାହିଁ, ସେମାନଙ୍କ ସହ ଥିଲେ କି ନାହିଁ ନବୀନ । ଆଜି ଏମବିକେ, ସିଆରପିମାନଙ୍କ କଥା କହୁଛନ୍ତି, ଯେ ସେମାନେ ୮ ମାସ ହେଲା ଦରମା ପାଇନାହାନ୍ତି । ଭାରତୀୟ ଜନତା ପାର୍ଟି ସରକାର ଆସିବାକର ମାତ୍ର ୫ ମାସ ହୋଇଛି । କିନ୍ତୁ ପୂର୍ବ ୩ ମାସ କିଏ ସରକାରରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । ୨୦୧୯ରେ ୫ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ୨୦୨୪, ଏପ୍ରିଲରେ ଚୁକ୍ତି ସରିବାବେଳେ ବିଜେଡ଼ି ସରକାର ଥିଲା । ଯଦି ଆପଣ ଏତେ ସମ୍ବେଦନଶୀଳ, ତାହେଲେ କାହିଁକି ଚୁକ୍ତି ନବୀକରଣ କରି ନ ଥିଲେ ? କାହିଁକି ମହିଳାମାନଙ୍କୁ ମଝି ଦରିଆରେ ଛାଡ଼ି ଦେଲେ ? କାହିଁକି ସେମାନଙ୍କୁ ଆଜି ହାତ ବାରିଶି କରୁଛନ୍ତି ? ଯେତେବେଳେ ଏମବିକେ, ସିଆରପି ଏବଂ ବ୍ୟାଙ୍କ ମିତ୍ର କଲେ ସେମାନଙ୍କୁ ଦଳୀୟ ପ୍ରଚାରରେ ଲଗାଇଲେ । ହେଲେ ପରେ ତାଙ୍କୁ ପଛ ପଟୁ ଛୁରି ମାରିଲେ ।
ଆଜି ସେମାନଙ୍କୁ ରାଜରାସ୍ତାରେ ବସାଇ ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ କରୁଛନ୍ତି, ରାଜନୈତିକ ଅସ୍ତ୍ରଭଳି ବ୍ୟବହାର କରୁଛନ୍ତି । ମା’ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡ଼ି । ଯେଉଁଥିପାଇଁ ତାଙ୍କୁ ଓଡ଼ିଶାର ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି । କାହିଁକି ଓଡ଼ିଶାର ମାଆ ମାନଙ୍କୁ ଆଣି ରାଜରାସ୍ତାରେ ବସାଇ ରାଜନୀତି କରୁଛନ୍ତି ତାହାର ଜବାବ ନବୀନ ପଟ୍ଟନାୟକଙ୍କୁ ଦେବାକୁ ପଡ଼ିବ ।
ଏହା ପୂର୍ବରୁ ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ ଟାର୍ଗେଟ୍ କରିଛନ୍ତି । ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି । ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି କହିଲେ ବିରୋଧୀ ଦଳ ନେତା ନବୀନ । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଅଛି ବୋଲି କହିଥିଲେ ନବୀନ ।