ମହାସମୁନ୍ଦ: ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ସରେଇପାଲି ଥାନାରେ ଅଟକ ଥିବା ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ମୁକୁଳିଛନ୍ତି । ପୋଲିସ ନୋଟିସ୍ ଦେଇ ବିଶାଲଙ୍କ ସମେତ ୧୩ ଜଣଙ୍କୁ ମୁକ୍ତ କରିଛି । ଅନ୍ୟପକ୍ଷରେ ବିଶାଲଙ୍କ ନାମରେ ସରେଇପାଲିର ରାଧିକା ହୋଟେଲ ମାଲିକଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଭାରତୀୟ ନାଗରିକ ସଂହିତା (ବିଏନ୍ଏସ୍) ଧାରା ୩୩୧ (୪) ଓ ୧୯୧ (୨) ଆଧାରରେ ମାମଲା ରୁଜୁ କରିଛି ପୋଲିସ । ସରେଇପାଲିର ରାଧିକା ଇନ୍ ହୋଟେଲରେ ଜୋର ଜବରଦସ୍ତି ପଶିବା ଏବଂ ଭଙ୍ଗାରୁଜା କରିବା ଆଧାରରେ ଏତଲା ଦିଆଯାଇଛି । ସେମାନେ ହୋଟେଲରେ ୯ ଟି ରୁମ ବୁକ୍ କରି ଅଗ୍ରୀମ ଟଙ୍କା ଦେଇ ରହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ପରିଚୟ ପତ୍ର ଦାଖଲ କରି ନ ଥିଲେ । ଯାହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହିତ ଝଗଡ଼ା ହୋଇଥିଲା ଏବଂ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏ ନେଇ ହୋଟେଲ ମ୍ୟାନେଜର ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଥିଲେ ।
ସରେଇପାଲି ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ତେବେ ଆଜି ଅପରାହ୍ନରେ ପୋଲିସ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ିଥିବା ଜଣାପଡ଼ିଛି ।
ଏ ନେଇ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ ବିଶାଳ ଦାସଙ୍କ ଗିରଫ ପ୍ରସଙ୍ଗରେ ଝାରସୁଗୁଡ଼ା ପୋଲିସର କୌଣସି ଭୂମିକା ନାହିଁ । ତେବେ ଗତକାଲି ଜଣେ ବ୍ୟକ୍ତିଙ୍କ ନିଖୋଜ ମାମଲାରେ ଝାରସୁଗୁଡ଼ା ପୋଲିସ ପକ୍ଷରୁ ସମ୍ବଲପୁର ସହର ଉପକଣ୍ଠସ୍ଥ ବିଶାଳଙ୍କ ଏକ ହୋଟେଲ ସମେତ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା।ତେବେ ଅନ୍ୟପକ୍ଷରେ ଗତକାଲି ରାତିରେ ଛତିଶଗଡ଼ ରାଜ୍ୟର ପୋଲିସ ବିଶାଳ ଦାସଙ୍କୁ ଥାନାରେ ଅଟକ କରାଯାଇଛି ବୋଲି ଆଇଜି କହିଛନ୍ତି।ଏହାସହ ଆଇନ ଅନୁଯାୟୀ ଛତିଶଗଡ଼ ପୋଲିସ ବିଶାଳ ଦାସଙ୍କୁ ଅଟକ କରିଥିବା ବେଳେ ଝାରସୁଗୁଡ଼ା ପୋଲିସର ଏଥିରେ କିଛି ଭୁମିକା ନଥିବା ନେଇ ଆଇଜି କହିଛନ୍ତି।