ପାଟଣା, ଏପ୍ରିଲ ୨୮ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜ୍ ପ୍ରତାପ ଆଜିକାଲି ବିହାର ରାଜନୀତିରେ ଚର୍ଚ୍ଚିତ ମୁହଁ । ମଙ୍ଗଳବାର ତେଜ୍ ପ୍ରତାପ ନିଜ ବିରୋଧରେ ହେଉଥିବା ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ନିର୍ଦ୍ଧାରିତ କରିଛନ୍ତି ଯେ, ସେ ଏବେ ୧୦ ସର୍କୁଲାର ରୋଡସ୍ଥିତ ନିବାସୀରେ ରହିବେ, ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ଘର । ସେ ବିଳମ୍ବିତ ରାତିରେ ସେଠାକୁ ପହଞ୍ଚି ଥିଲେ ଏବଂ ରାତ୍ରୀଯାପନ କରିଥିଲେ । ଏହା ପରେ ତାଙ୍କର ଷ୍ଟ୍ରିଙ୍ଗ୍ ଅପରେଶନକୁ ନେଇ ଚର୍ଚ୍ଚା ଜୋରଧରିଛି ।
ତେଜ ପ୍ରତାପ ଯାଦବ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀ ତାଙ୍କ ଉପରେ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ ଆଣିଛନ୍ତି । ତେଜ ପ୍ରତାପ ବୁଧବାର ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ସାକ୍ଷାତକାର ଦେବା ପାଇଁ ଘରକୁ ଡାକିଥିଲେ । ସେ ସାକ୍ଷାତକାର ସଂପର୍କିତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ପାଟଣାର ଜଣେ ସ୍ଥାନୀୟ ୟୁଟ୍ୟୁବର ତେଜ ପ୍ରତାପଙ୍କ ସାକ୍ଷାତକାର ନେବା ପାଇଁ କଥା ହୋଇଛନ୍ତି ଓ ତାଙ୍କ ଘରକୁ ପହଞ୍ଚିଛନ୍ତି । କିନ୍ତୁ ତେଜ ପ୍ରତାପ କହିଥିଲେ ଯେ, ସାକ୍ଷାତକାର ପୂର୍ବରୁ ପ୍ରଥମେ କଥା ହେବେ ଓ ନିଜ କ୍ୟାମେରା ଓ ମାଇକ ବାହାର ରଖି ଆସନ୍ତୁ ବୋଲି ୟୁଟ୍ୟୁବରଙ୍କୁ କହିଥିଲେ । ସାକ୍ଷାତକାର ପରେ ୟୁଟ୍ୟୁବର ନିଜ ଗାଡ଼ି ନେଇ ଜୀତନ ରାମଙ୍କ ଘର ଆଡ଼କୁ ଅଗ୍ରସର କରିଥିଲେ । ତେଜପ୍ରତାପ ତାଙ୍କୁ ଅନୁସରଣ କରି ଜୀତନ ରାମ ମାଝୀଙ୍କ ଘରକୁ ପହଞ୍ଚିଥିଲେ । ଜୀତନ ରାମ ମାଝୀଙ୍କ ଘର ଆଗରେ ୟୁଟ୍ୟୁବରଙ୍କ ଗାଡ଼ି ଛିଡ଼ା ହୋଇଥିଲା । ତେଜ ପ୍ରତାପ କହିଛନ୍ତି, ତାଙ୍କ ବିରୋଧରେ ଅପପ୍ରଚାର କରିବା ପାଇଁ ଜୀତନ ରାମ ମାଝୀଙ୍କ ଘରେ ଷଡ଼ଯନ୍ତ୍ର କରାଯାଇଛି ।