ନୂଆଦିଲ୍ଲୀ, ଜୁନ୍ ୦୨ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଜୁଲାଇ ୨ ତାରିଖରେ ଅନୁଷ୍ଠିତ ହେବ । ଦୁଇ ଦିବସୀୟ ଏହି କାର୍ଯ୍ୟକାରିଣୀ ବୈଠକ ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବେ । ସେହିପରି ୫ବର୍ଷର ବ୍ୟବଧାନ ପରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ବାହାରେ ଆୟୋଜନ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି ୨୦୧୪ରେ କେନ୍ଦ୍ରରେ କ୍ଷମତା ହାସଲ କରିବା ପରେ ଦକ୍ଷିଣ ଭାରତରେ ୩ୟ ଥର ପାଇଁ ଦଳୀୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରୁଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଦେଶର ଜଣାଶୁଣା ନେତା ସାମିଲ ହେବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୧୫ରେ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁ ଓ ୨୦୧୬ରେ କେରଳର କୋଝିକୋଡରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଦଳର ସଦସ୍ୟତା ଓ ଲୋକପ୍ରିୟତା ବଢ଼ିଥିବା ସମୟରେ ହାଇଦ୍ରାବାଦ୍ ଠାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ କରୁଛି ।