ବିହାର ବିଧାନସଭା ନିର୍ବାଚନ, ସାମ୍ୱାଦିକ ରବିଶ୍ କୁମାରଙ୍କ ଭାଇକୁ ମିଳିଲା କଂଗ୍ରେସ ଦଳରୁ ଟିକଟ୍
Khabar Odisha:Bihar-Assembly-elections-journalist-Rabish-Kumars-brother-gets-ticket-from-Congress-party
ବିହାର, ଅକ୍ଟୋବର ୧୬ (ଖବର ଓଡ଼ିଶା):

ବିହାର ବିଧାନସଭା ନିର୍ବାଚନ 2020 ରେ କଂଗ୍ରେସ ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ତାଲିକାରେ ଥିବା କିଛି ପ୍ରାର୍ଥୀଙ୍କୁ ନେଇ ବିହାର ସହ ସମଗ୍ର ଦେଶରେ ଚର୍ଚ୍ଚା ଲାଗି ରହିଛି । କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ କଂଗ୍ରେସ 49 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଯେଉଁଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାମ ହେଉଛି ଏନଡିଟିଭିର ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କ ଭାଇ ବ୍ରିଜେଶ ପାଣ୍ଡେ । ମୋତିହାରୀର ଗୋବିନ୍ଦଗଞ୍ଜରୁ ବ୍ରିଜେଶ ପାଣ୍ଡେଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ ଦିଆଯାଇଛି ।

ଅତୀତରେ ବ୍ରିଜେଶ ପାଣ୍ଡେ ମଧ୍ୟ କଂଗ୍ରେସର ରାଜ୍ୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଏନଡିଏ ମେଣ୍ଟ ପକ୍ଷରୁ ଗୋବିନ୍ଦଗଞ୍ଜରୁ ବିଜେପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚିରାଗ ପାସୱାନଙ୍କ ଏଲଜେପି ପକ୍ଷରୁ ମଧ୍ୟ ଏଠାରେ ପ୍ରାର୍ଥୀ ଦିଆଯାଇଛି । ଗୋବିନ୍ଦଗଞ୍ଜରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ବୋଲି ଜଣାପଡିଛି ।

କଂଗ୍ରେସ ଦ୍ୱାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ବ୍ରିଜେଶ ପାଣ୍ଡେଙ୍କ ନାମ ଗୋବିନ୍ଦଗଞ୍ଜର ବିଧାନସଭା ଆସନ ପାଇଁ ଘୋଷଣା କରାଯାଇଛି । ବ୍ରିଜେଶ ପାଣ୍ଡେ ମଧ୍ୟ ପୂର୍ବରୁ ମଧ୍ୟ 2017 ମସିହା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଲେ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । କିଛିଦିନ ତଳେ ବ୍ରିଜେଶ ପାଣ୍ଡେଙ୍କ ନାମ କୌଣସି ଏକ ପ୍ରସଙ୍ଗକୁ କେନ୍ଦ୍ରକରି ବିବାଦ ଭିତରକୁ ଆସିଥିଲା, ଯାହା ପରେ ଦଳ ପକ୍ଷରୁ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିଲା, କିନ୍ତୁ ତାଙ୍କ ନାମ ଆଜି ପ୍ରକାଶିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ଏହା ବ୍ୟତୀତ ଗୁରୁବାର ଦିନ କଂଗ୍ରେସ ଦ୍ୱାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାଷିନୀ ଏବଂ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତୃଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନାଙ୍କ ନାମ ମଧ୍ୟ କଂଗ୍ରେସ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛି ।

  • Tags:

Subscribe

National International State Sports Entertainment