ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସଦ୍ୟତମ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ମମତା ପ୍ରସ୍ତୁତ ଥିବା କହିବା ପରେ ମେଣ୍ଟର ବିଭିନ୍ନ ଦଳଗୁଡ଼ିକର ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ମେଣ୍ଟର ପ୍ରମୁଖ ଦଳ ଗୁଡ଼ିକ ଯଥା କଂଗ୍ରେସ, ଆରଜେଡ଼ି, ସମାଜବାଦୀ ପାର୍ଟି ଓ ଶିବସେନା (ୟୁବିଟି)ର ନେତାମାନେ ମତ ଦେଇଛନ୍ତି । କେହି ମମତାଙ୍କ ବୟାନ ଉପରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ କେହି କେହି ଏହାକୁ କରୁଛନ୍ତି ବିରୋଧ ।
କଂଗ୍ରେସ ସାଂସଦ ଇମରାନ ମସୁଦ କହିଛନ୍ତି ଯେ କେବଳ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଦେଶରେ କେହି ଜଣେ ବି ନେତୃତ୍ୱ ନେବା ସ୍ଥିତିରେ ନାହାଁନ୍ତି । ସେହିପରି ଆଉ ଜଣେ ସାଂସଦ ବର୍ଷା ଗାୟକୱାଡ଼ ମଧ୍ୟ ମମତାଙ୍କ ବୟାନକୁ ସହଜରେ ହଜମ କରି ପାରି ନାହାଁନ୍ତି । ସେ ବି କହିଛନ୍ତି କି ମମତାଙ୍କୁ ଏପରି ଲାଗୁଥାଇ ପାରେ କିନ୍ତୁ ଆମକୁ ଲାଗୁ ନାହିଁ । ତାଙ୍କ (ମମତା) କହିବା ଦ୍ୱାରା ତାଙ୍କ ଦଳ (ଟିଏମସି) ଚାଲୁଛି । କଂଗ୍ରେସ କହିବା ଦ୍ୱାରା ଆମେ ଚାଲୁଛୁ । ସେପଟେ ବାମ ଦଳ ନେତା ଡି ରାଜା କହିଛନ୍ତି କଂଗ୍ରେସକୁ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି ।
ତେବେ ଶିବ ସେନା ସାଂସଦ ସଂଜୟ ରାଉତ କହିଛନ୍ତି, ଆମକୁ ମମତା ବାନାର୍ଜୀଙ୍କ ନିଷ୍ପତି ଜଣା ଅଛି । ଆମେ ଚାହୁଁଚୁ ମମତା ବାନାର୍ଜୀ ଆମ ସହିତ ରୁହନ୍ତୁ । ଆମେ ସମସ୍ତେ ଏକାଠି ଅଛୁ । ଯଦି କିଛି ଛୋଟ ମୋଟ ମତଭେଦ ଅଛି ତେବେ ଆମେ କୋଲକାତା ଯାଇଁ ତାଙ୍କ ସହିତ ଆଲୋଚନା କରିବୁ ।
ସେପଟେ କିନ୍ତୁ ସମାଜବାଦୀ ମମତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଯଦି ମମତାଙ୍କ ମନରେ ଏପରି କିଛି କଥା ଅଛି ତେବେ ଇଣ୍ଡି ମେଣ୍ଟ ବ୍ଲକରେ ଥିବା ନେତାମାନେ ଏହା ଉପରେ ଆଲୋଚନା କରିବାର ଆବଶ୍ୟକତା ଅଛି ବୋଲି ସପାର ମୁଖପାତ୍ର ଉଦୟବୀର ସିଂହ କହିଛନ୍ତି । ଏହା ଦ୍ୱାର ମେଣ୍ଟ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପିକୁ ଅଟକାଇବାରେ ମମତା ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ତାଙ୍କ ପ୍ରତି ସହାନୁଭୂତି ଅଛି ।
ଏଠାରେ କହି ରଖୁଛୁ ଯେ, ଶୁକ୍ରବାର ମମତା ବାନାର୍ଜୀ ଏକ ବୟାନରେ କହିଥିଲେ ଯେ ସେ ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତେବେ ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭାରେ ଇଣ୍ଡି ମେଣ୍ଟର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଯେଉଁଥିଲେ କଂଗ୍ରେସ ହିଁ ମୁଖ୍ୟ ଦଳଭାବେ ଥିଲା । ଏହି ଦୁଇ ରାଜ୍ୟରେ ବିରୋଧୀଙ୍କୁ ପରାସ୍ତ କରି ବିଜେପି ସରକାର ଗଢ଼ିଛି ।