ସମ୍ବଳ ନାହିଁ, ଭୋଟ୍ ପାଇଁ କରୁଛନ୍ତି ମାଳ ମାଳ ଯୋଜନା, ନବୀନ ସରକାରଙ୍କ ଫଣ୍ଡା ଚୁଲିକି ଯାଉ ରାଜ୍ୟ ଅର୍ଥନୀତି
Khabar Odisha:News-analysis-odisha-Naveen-Government-state-economy-shotdown
ଭୁବନେଶ୍ଵର ,ଜାନୁଆରୀ ୨୩(ଖବର ଓଡ଼ିଶା):

ଦେଶ  ହେଉ କି ରାଜ୍ୟ ଆଜି ସବୁଠୁ ଚାଲିଛି ଭୋଟ୍ ସର୍ବସ୍ଵ ରାଜନୀତି। ବିକାଶ ବରଂ ଚୁଲିକୁ ଯାଉ ଆମର ସିଟ୍ ଖଣ୍ଡିକ ବଞ୍ଚିଥାଉ, ଆମର ଗାଦି ରହୁ ଏବଂ କ୍ଷମତା ଉପଭୋଗ କରୁ। ଖାସ୍ କରି ଏହି ନୀତି ଓଡ଼ିଶାରେ ଆପଣେଇଛି ବିଜୁ ଜନତା ଦଳ। ରାଜ୍ୟରେ ଦୀର୍ଘ ୧୯ ବର୍ଷ ନିରଙ୍କୁଶ ଶାସନ କରି ଆସୁଥିବା ନବୀନ ସରକାର ୨୦୧୯ ନିର୍ବାଚନ ଜିତି ପୁଣି ଥରେ କ୍ଷମତା ଉପଭୋଗ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ଚକ୍ରାନ୍ତ। ରାଜ୍ୟ ସରକାର ନିଜର ସମ୍ବଳ ଓ  ରୋଜଗାର ଅନୁସାରେ  ଯୋଜନା ନକରି ଭୋଟ୍ ଲୋଭରେ ଅସୁମାରୀ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ରାଜ୍ୟର ଆର୍ଥିକ ସ୍ଥିତି ଏବେ ଉଦବେଗଜନକ ରହିଛି। ଆମ ରାଜ୍ୟର ଋଣ ବୋଝଭାରକୁ ଦେଖିଲେ ଏହା ମନକୁ ଆସିବା ସ୍ଵାଭାବିକ। 

୨୦୦୧ରୁ  ଆଜି ପର୍ୟ୍ୟନନ୍ତ ଦୀର୍ଘ ୧୮ ବର୍ଷ ମଧ୍ୟରେ ଓଡ଼ିଶାର ଋଣଭାର ୬୨ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ବୋଝଭାର  ୯୧, ୯୪୩ କୋଟି ଟଙ୍କାରେ ପହଞ୍ଚିବ ବୋଲି ସରକାରୀ ତଥ୍ୟରୁ ଜଣା ପଡିଛି। ଗୋଟିଏ ସରକାର ଦୀର୍ଘ ୧୯ ବର୍ଷ ନିରବଚ୍ଛିନ୍ନ ଭାବେ କ୍ଷମତାରେ ଥିଲେ ମଧ୍ୟ ଏହି ପରି ଋଣ ବୋଝଭାର ବଢି ବଢି ଚାଲିବା ନିଶ୍ଚିତ ରୂପେ ଚିନ୍ତାଜନକ ବିଷୟ।  ଏବେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ମୁଣ୍ଡ ପିଛା ଋଣ ୨୧ ହଜାର ଟଙ୍କାରୁ ଅଧିକ ପହଞ୍ଚି ଗଲାଣି। ରାଜକୋଷର  ସ୍ଥିତିକୁ ବିଚାର ନକରି ରାଜ୍ୟ ସରକାର କେବଳ ଭୋଟ୍ ଗୋଟେଇବା ପାଇଁ ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ କରିବାକୁ ମଧ୍ୟ ପଛାଉ ନାହାନ୍ତି। ସମ୍ବଳ ନଥାଇ ନିର୍ବାଚନ ପାଖେଇ ଆସିବାରୁ ମାଳ ମାଳ ଲୋକ ଦେଖାଣିଆ ଯୋଜନା  ଘୋଷଣା କରୁଛନ୍ତି। ଯାହା ରାଜ୍ୟର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡ଼ୁଛି। 

ଋଣ ଆଣିବା ଅପରାଧ ନୁହେଁ ଏହା ଠିକ୍ କଥା। ସରକାର ଋଣ କରନ୍ତି ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିଲେ ସରକାର ଉକ୍ତ ଋଣ ପରିଶୋଧ ମଧ୍ୟ କରନ୍ତି। ମାତ୍ର ରାଜ୍ୟ ସରକାର ଲୋକ ଦେଖାଣିଆ ଯୋଜନା ପାଇଁ ଋଣ କରିବା ଦୁର୍ଭାଗ୍ୟର କଥା। କାରଣ ସରକାର ଯେଉଁସବୁ ଯୋଜନା କରୁଛନ୍ତି ସେଥିରେ ରାଜ୍ୟ ସମ୍ବଳର ବୃଦ୍ଧି ଘଟିବ ନାହିଁ। ଅଦୂରଦୃଷ୍ଟି ଓ ଅଣସମ୍ବଳହୀନ ଯୋଜନା କରିବା ଦ୍ଵାରା ଋଣ ପରିଶୋଧ ମଧ୍ୟ ହୋଇ ପାରିବ ନାହିଁ। ଋଣ ସୁଧ ମଧ୍ୟ ଦିନକୁ ଦିନ ବଢି ଚାଲିବ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ଵାରୋପ ନକରି କେବଳ ଭୋଟ୍ ପାଇଁ ମାଳ ମାଳ ଯୋଜନା କରି ଚାଲିଛନ୍ତି। 

ଓଡ଼ିଶାରେ ଯେଉଁ ନୀତଗି ରହିଛି ତଦନୁସାରେ  ନିଜର ମୋଟ୍ ଘରୋଇ ଆୟ(ଜିଡିପି)ର ୨୦ ଶତାଂଶ ମଧ୍ୟରେ  ହିଁ ରାଜ୍ୟ ସରକାର ଋଣ କରି ପାରିବେ।  ମାତ୍ର ତାହା ଏବେ ବୃଦ୍ଧି ପାଇ ୨୩ ଶତାଂଶ ପହଞ୍ଚିଗଲାଣି।  ୨୦୦୧ ହିସାବରେ ଏଥିରେ ୧୧ ଶତାଂଶ ବୃଦ୍ଧି ଘଟିଛି। ଅନ୍ୟ ପଟେ   ଜିଏସଟି ଲାଗୁ ହେବା ପରେ  ରାଜ୍ୟ ସରକାରଙ୍କ ଅତିରିକ୍ତ ସମ୍ବଳ ବାଟ ପ୍ରାୟତଃ ବନ୍ଦ ହୋଇ ଯାଇଛି।  ତେଣୁ ବିଭିନ୍ନ ସୂତ୍ରରୁ  ଯେଉଁ ଅର୍ଥ ଆସୁଛି ତାହାର ସୁବିନିଯୋଗ କରିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ ଅଟେ।  ମାତ୍ର ଦୂରଦୃଷ୍ଟିର ଅଭାବ ଏବଂ କ୍ଷମତା ଲୋଭରେ ନବୀନ ସରକାର  ଚୂନା ଦେଖି ପିଠା କରିବା ପରିବର୍ତ୍ତେ ଗଣ୍ଡା ଗଣ୍ଡା ଯୋଜନା କରି ଚାଲିଛନ୍ତି। ନିର୍ବାଚନ ଆଗରେ ଥିବାରୁ ଏମିତି କେଉଁ ଦିନ ନାହିଁ  ଯେଉଁଦିନ ଯୋଜନା ଘୋଷଣା କରାଯାଉନି। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ହେଉ କି,  ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଉ। ଏମିତି ଯୋଜନା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସମ୍ବଳ ନଥିବାରୁ ଋଣ କରିବାକୁ ପଡ଼ୁଛି। ଏଥିରେ କେବଳ ଋଣ ବୋଝଭାର  ବୃଦ୍ଧି ହେଉନି ବରଂ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡକୁ ନେଇ ଯାଉଛି।

ଋଣ ଆଣି ପରିଶୋଧ କରିବା କମ ନଜିର ରହିଛି। ଯଦି ଗୋଟିଏ ସରକାର ଏହି ଋଣ ପରିଶୋଧ କରନ୍ତି ନାହିଁ ତେବେ ନୂତନ ଭାବେ କ୍ଷମତାକୁ ଆସୁଥିବା ସରକାର ଏହାର ଚାପଗ୍ରସ୍ତ ହୁଅନ୍ତି। ଫଳରେ ଜନତାଙ୍କ ଉପରେ ଟିକସ୍ ଭାର ଲଦିବାକୁ ସରକାର ପଛାନ୍ତି ନାହିଁ। ଦୁର୍ଭାଗ୍ୟର କଥା ୧୯ ବର୍ଷ ଧରି କ୍ଷମତାରେ ରହିଥିବା ରାଜ୍ୟ ସରକାର ନିର୍ବାଚନୀ ମାଇଲେଜ୍ ପାଇଁ ଅନେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହ ପ୍ରତିଯୋଗିତା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାରେ ଆସୁଥିବା ଅର୍ଥକୁ ହଡ଼ପ କରି ନିଜ ନାମରେ କରି ବାହା ବାହା ଲୁଟିବାକୁ ହୀନ ଉଦ୍ୟମ କରୁଛନ୍ତି। ଯେମିତି ଆୟୁଷ୍ମାନ ଯୋଜନା। ଏହି ଯୋଜନାକୁ ରାଜ୍ୟ ସରକାର ଲାଗୁ ନକରି ନିଜସ୍ଵ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏହା ବାଦ୍ ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନାରା ଦେଇ ଅଧିକ ଅର୍ଥ ଦାବି କରୁଛନ୍ତି। ଆଉ ଏହି  ଅର୍ଥକୁ ଲୋକଦେଖାଣିଆ ଯୋଜନାରେ ବିନିଯୋଗ ଭୋଟ୍ ସାଉଁଟିବାକୁ ପ୍ରୟାସ ଚଳାଇଛନ୍ତି ନବୀନ ସରକାର। 

ସବୁଠୁ ବଡ଼ ଦୁର୍ଭାଗ୍ୟର କଥା, ଦୀର୍ଘ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କ୍ଷମତାରେ ରହିବା ପରେ ସରକାର ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବା ଭଳି ଯୋଜନ ନକରି କେବଳ ଭୋଟ୍ ହାତେଇବା ପଛରେ ଧାଇଁବା ନିଶ୍ଚିତ ରୂପେ ସରକାରଙ୍କ ହୀନ ରାଜନୀତିକୁକ ସୂଚାଉଛି। ଯେମିତି କାଳିଆ  ଯୋଜନା କରି ସରକାର ଏବେ ଜରୁରୀକାଳୀନ ପାଣ୍ଠିର ଅର୍ଥ ଲୁଟ୍ କରିଛନ୍ତି। 

ଋଣ କରିବା ଠିକ୍ କଥା ଏବଂ ସ୍ଵାଗତଯୋଗ୍ୟ। ମାତ୍ର କେବଳ ଲୋକଦେଖାଣିଆ, ଭୋଟ୍ ପାଇଁ ଯୋଜନା କରି ସେଥିରେ ଋଣରେ ଆଣିଥିବା ଅର୍ଥକୁ ବିନିଯୋଗ କଲେ ରାଜ୍ୟର ବିକାଶ ଘଟିବ ନାହିଁ। ତେଣୁ ସରକାରଙ୍କୁ ଏହା ଉପରେ ଗଭୀରତାର ସହ ବିଚାର କରିବା ଉଚିତ୍। 

Subscribe

National International State Sports Entertainment