ରାଜସ୍ଥାନ: ନଦୀରେ ସାଙ୍ଗମାନଙ୍କ ସହ ଗାଧେଇବାକୁ ଯାଇଥିବା ବେଳେ ଅଘଟଣ। ପାଣିରେ ବୁଡ଼ି ୮ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରୁ ଆସିଛି ଏଭଳି ଅଘଟଣର ଦୁଃଖଦ ଖବର। ସୂଚନା ମୁତାବିକ ରାଜସ୍ଥାନର ଟୋଙ୍କକୁ ପିକନିକ୍ ପାଇଁ ଯାଇଥିଲେ। ସେଠାରେ ଥିବା ବନାସ ନଦୀରେ ୧୧ ଜଣ ସାଙ୍ଗଙ୍କ ଗୋଷ୍ଠୀ ଯାଇ ଗାଧଉଥିଲେ, ତେବେ ଗାଧେଇବା ସମୟରେ ବୁଡ଼ିଯାଇ ୮ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ, ଏବେବି ନିଖୋଜ ଅଛନ୍ତି ୩ ଜଣ।
ଘଟଣା ମୁତାବିକ ପୁରୁଣା ଫ୍ରେଜର ବ୍ରିଜ୍ ନିକଟରେ ଯୁବକମାନେ ନଦୀରେ ଗାଧୋଉଥିବା ବେଳେ ପାଣି ଭିତରକୁ ପଶିଯାଇଥିଲେ । ଫଳରେ ଜଣେ ବୁଡ଼ିଯିବାରୁ ଅନ୍ୟମାନେ ବଞ୍ଚାଇବାକୁ ଯାଇ ବୁଡ଼ିଯାଇଥିଲେ । ପ୍ରଶାସନ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ମୃତକ ଜୟପୁରର ବାସିନ୍ଦା ବୋଲି କୁହାଯାଉଛି । ତେବେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ସମସ୍ତେ ସାଙ୍ଗ ଥିଲେ । ଏମାନେ ପିକନିକ୍ ପାଇଁ ଏକାଠି ହୋଇଥିଲେ ।
ଘଟଣା ସମ୍ପର୍କେୀ ଟୋଙ୍କ ଜିଲ୍ଲା ଏସପି ବିକାଶ ସାଙ୍ଗୱାନ କହିଛନ୍ତି, ଜୟପୁରର ୧୧ ଯୁବକ ପିକନିକ୍ ପାଇଁ ଟୋଙ୍କ ଆସିଥିଲେ । ସମସ୍ତଙ୍କ ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି କୁହାଯାଉଛି । ଜିଲ୍ଲା ପୋଲିସ ଅଧିକ୍ଷକ ବିକାଶ ସାଙ୍ଗୱାନ, ଅତିରିକ୍ତ ପୋଲିସ ଅଧିକ୍ଷକ ବ୍ରିଜେନ୍ଦ୍ର ସିଂହ ଏବଂ ଏସଡିଏମ୍ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।
ସେପଟେ ଏହି ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଟୋଙ୍କ ଜିଲ୍ଲା ସ୍ଥିତ ବନାସ ନଦୀରେ ଯୁବକଙ୍କ ବୁଡିବା ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟଦାୟକ । ଏହାସହିତ ପ୍ରଶାସନକୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।