ମୁମ୍ବାଇ: ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ସ୍ୱର୍ଗତ ଅଜିତ ପାୱାରଙ୍କ ଧର୍ମପତ୍ନୀ ସୁନେତ୍ରା ଅଜିତ ପାୱାର । ଶନିବାର ଲୋକ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଏନସିପି ଏବଂ ବିଜେପିର ତମାମ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ଥିଲେ ।
ଶନିବାର ଏନସିପି (ଅଜିତ ଗୁଟ) ବିଧାୟକ ଦଳ ବୈଠକରେ ସୁନେତ୍ରାଙ୍କୁ ନୂତନ ବିଧାୟକ ଦଳ ନେତା ଭାବରେ ଚୟନ କରାଯାଇଥିଲା । ବୈଠକରେ ପ୍ରଥମେ ଦିବଂଗତ ନେତା ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ପରେ ବିଧାୟକ ଦିଲ୍ଲୀପ ବଲସେ ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଦଳର ସମସ୍ତ ସଦସ୍ୟ ଏହା ଉପରେ ସମ୍ମତି ପ୍ରକାଶ କରି ଦସ୍ତଖତ କରିଛନ୍ତି । ଏହା ପରେ ସମ୍ମତି ପତ୍ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ପ୍ରଦାନ କରାଯାଇଥିଲା । ଏହା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ସକାଳ ୮ଟା ୪୫ରେ ମହାରାଷ୍ଟ୍ରର ବାରାମତୀରେ ବିମାନ ଦୁର୍ଘଟଣା ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀ ପାୱାରଙ୍କ ସମେତ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ ଓ ଦୁଇ କ୍ରିଉ ମେମ୍ବର ପ୍ରାଣ ହରାଇଥିଲେ ।