ନୂଆଦିଲ୍ଲୀ: ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସମ୍ମତି କ୍ରମେ ଏହି ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ ଏହା ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୋଇଥିଲା। ନୂତନ ଆଇନ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ, ଯାହା ପୂର୍ବ ୧୦୦ ଦିନ ଥିଲା।
ସରକାର ଆସନ୍ତା ବର୍ଷ ୧ ଏପ୍ରିଲ (୨୦୨୬) ଠାରୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡିଛି । ଏହି ପ୍ରସ୍ତାବିତ ଆଇନ ୨୦ ବର୍ଷ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇବ। ଏହି ବିଲ୍ ଅନୁଯାୟୀ, ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ବର୍ତ୍ତମାନ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି।
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିଲ୍ ମନରେଗାକୁ ବଦଳାଇଥାଏ ଏବଂ ଏକ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି। ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆୟ ସୁରକ୍ଷାକୁ ସୁଦୃଢ଼ କରିବା।
ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ। ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଅଛି।
୨୦୦୬ ମସିହାରେ ଲାଗୁ ହୋଇଥିଲା ମନରେଗା। ସେବେଠାରୁ ଏପର୍ଯ୍ୟନ୍ତ ଏହି ଯୋଜନାରେ ୧୧.୭୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଧ୍ୟରୁ ୨୦୧୪ରୁ ଏପର୍ଯ୍ୟନ୍ତ ୭.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଏହି ଯୋଜନାକୁ ବଦଳାଇବାକୁ ଦୁଇଟି ଯୁକ୍ତି ଉପସ୍ଥାପନ କରିଛନ୍ତି। ସରକାର କହିଛନ୍ତି କି, ଏହି ଯୋଜନା ଲାଗୁ ହେବା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ୨୦୧୧-୧୨ ରେ ଗ୍ରାମୀଣ ବେରୋଜଗାରୀ ଦର ୨୫.୭ ପ୍ରତିଶତ ଥିଲା। ୨୦୨୩-୨୪ ରେ ଏହା ହ୍ରାସ ପାଇ ୪.୮୬ ପ୍ରତିଶତ ହୋଇଛି। ଏହାସହ ସବୁ ପ୍ରଚେଷ୍ଠା ପରେ ବି ଏହି ଯୋଜନାରେ ଦୁର୍ନୀତି କମିବାର ନାଁ ନେଉନି। ୨୦୨୪-୨୫ ରେ ଏହି ଯୋଜନାରେ ୧୯୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ: ଆସନ୍ତା ବର୍ଷର କେନ୍ଦ୍ରୀୟ ବଜେଟ୍କୁ ନେଇ ଜାରି ରହିଛି ସସପେନ୍ସ; ଏଥର ଛୁଟିଦିନରେ ଉପସ୍ଥାପନ କରିବେ କି ନିର୍ମଳା ସୀତାରମଣ?