ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ ଘର ବାହୁଡ଼ା କରିବେ । ସେ ପୂର୍ବ ପରି ପୁଣି ଥରେ ପରିବାର ସହିତ ମିଶିବେ । ବୁଧବାର ମକର ସଂକ୍ରାନ୍ତି ଉପଲକ୍ଷେ ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ ପାଟନାର ୨୬ ଏମ୍ ଷ୍ଟ୍ରାଣ୍ଡ ରୋଡରେ ଥିବା ତାଙ୍କ ବାସଭବନରେ ଆୟୋଜନ କରିଥିବା ଦହି-ଚୁଡ଼ା ଭୋଜିରେ ଏଭଳି କହିଛନ୍ତି ବାପା ଲାଲୁ ଯାଦବ ।
ତେଜ ପ୍ରତାପଙ୍କ ଦହି-ଚୁଡ଼ା ଭୋଜିରେ ରାଜନୀତି ଅପେକ୍ଷା ପାରିବାରିକ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା । ସାତ ମାସ ପରେ ତେଜ ପ୍ରତାପଙ୍କ ଘରକୁ ଆସି ଭୋଜିରେ ବାପା ଲାଲୁ ମଧ୍ୟ ଯୋଗ ଦେଇଛନ୍ତି । ଲାଲୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ପୁଅ ତେଜ ପ୍ରତାପ ଉପରେ ସେ ରାଗି ନାହାଁନ୍ତି ବରଂ ତାଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ସହିତ ରହିଛି । ଲାଲୁ କହିଛନ୍ତି ଯେ ପରିବାରରେ ମତ ଭେଦ ହୋଇଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଦୂରତା ରହିଛି ।
ସେହିପରି ତେଜ ପ୍ରତାପ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ଲାଲୁ ଏକ ଭାବାତ୍ମକ ପ୍ରତିକ୍ରିୟା ରଖିଛନ୍ତି, ପୁଅ ଯେଉଁଠାକୁ ବି ଯାଉଛନ୍ତି ତାଙ୍କ ଆଶୀର୍ବାଦ ସବୁବେଳେ ପୁଅ ସହିତ ରହିଛି । ତେଜ ପ୍ରତାପଙ୍କ ଖୁସି ଏବଂ ସଫଳତା କାମନା କରିଛନ୍ତି ଲାଲୁ ।
ତେଜ ପ୍ରତାପଙ୍କ ଭୋଜିରେ ମାଆ ରାବିଡ଼ି ଦେବୀ ଏବଂ ଭାଇ ତେଜସ୍ୱୀ ଯାଦବଙ୍କୁ ଦେଖିବାକୁ ମିଳିନଥିଲା । ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା, ମନ୍ତ୍ରୀ ବିଜୟ ଚୌଧୁରୀ ଏବଂ ଅଶୋକ ଚୌଧରୀ, ଆରଏଲଏସପି ମୁଖ୍ୟ ପଶୁପତି ପାରସ, ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ ଅନ୍ୟ ଅନେକ ନେତା ତେଜ ପ୍ରତାପଙ୍କ ଘରେ ପହଞ୍ଚିଥିଲେ ।