ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ନୂଆ ବର୍ଷରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ବୋମା ଠିକଣା ତାଲିକା ଆଦାନ ପ୍ରଦାନ ହୋଇଛି । ନୂଆ ଦିଲ୍ଲୀ ଏବଂ ଇସଲାମାବାଦରେ କୂଟନୈତିକ ସ୍ତରରେ ୩୫ତମ ସୂଚୀ ଦୁଇ ଦେଶ ପରସ୍ପରକୁ ହସ୍ତାନ୍ତର କରିଛନ୍ତି ।
ଦୀର୍ଘ ୩ ଦଶନ୍ଧି ହେବ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଠିକଣାର ସୂଚନା ଆଦାନ ପ୍ରଦାନ କରାଯାଇଆସୁଛି । ଜାନୁଆରୀ ୧ ତାରିଖରେ ଏହି ତାଲିକା ଦିଆଯାଇଥାଏ । ପରମାଣୁ ବୋମା ପ୍ରତିଷ୍ଠାନ ଉପରେ ଆକ୍ରମଣ ନିଷେଧର ଚୁକ୍ତି ଅନ୍ତର୍ଭୁକ୍ତ ଅଟେ । ନିୟମ ମୁତାବକ ଆଣବିକ ପ୍ରତିଷ୍ଠାନ ଏବଂ ତାର ସୁବିଧା ଉପରେ ଆକ୍ରମଣ ଉପରେ ରୋକ ଲଗାଇବାକୁ ଏହି ଆଦାନପ୍ରଦାନ କରାଯାଇଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ।
୧୯୮୮ ଡିସେମ୍ବର ୩୧ ତାରିଖରେ ଏହି ଚୁକ୍ତି ହୋଇଥିଲା ଏବଂ ୧୯୯୧ ମସିହା ଜାନୁଆରୀ ୨୭ ତାରିଖରୁ ଏହି ନିୟମ ଲାଗୁ ହୋଇଥିଲା । ନିୟମାନୁସାରେ ଦୁଇ ଦେଶ ଭାରତ-ପାକିସ୍ତାନ ଇଂରାଜୀ ବର୍ଷର ଜାନୁୟାରୀ ୧ ତାରିଖରେ ପରସ୍ପରକୁ ତାଲିକା ପ୍ରଦାନ କରିବେ । ୧୯୯୨ ଜାନୁଆରୀ ପହିଲାରେ ପ୍ରଥମ ଥର ପାଇଁ ସୂଚୀ ପ୍ରଦାନ କରାଯାଇଥିଲା ।