କୋଲକାତା: ବୁଧବାର ଅପରାହ୍ନରେ କାଠମାଣ୍ଡୁରୁ ଇସ୍ତାନବୁଲ ଯାଉଥିବା ତୁର୍କୀ ଏୟାରଲାଇନ୍ସର ଏକ ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି । ବିମାନରେ ନିଆଁ ଲାଗିଥିବାରୁ ଜରୁରୀ ଅବତରଣ କରିଛି । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ସ୍ପଷ୍ଟ ହୋଇଛି ।
ତୁର୍କୀ ଏୟାରଲାଇନ୍ସର ବିମାନ THY-727 ଅପରାହ୍ନ ୧ ଟା ୨୯ମିନିଟ୍ ରେ ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । ୨୩୬ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟଙ୍କୁ ନେଇ ବିମାନ ଉଡ଼ାଣ ଭରିଥିଲା । ଅଧା ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପାଇଲଟମାନେ ଏକ ସଙ୍କେତ ପାଇଲେ ଯେ ବିମାନର ଦୁଇଟି ଇଞ୍ଜିନ ମଧ୍ୟରୁ ଗୋଟିଏ ବିଫଳ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ପାଇଲଟ୍ ତୁରନ୍ତ କାଠମାଣ୍ଡୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଏବଂ ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଧାଡିଂ ଜିଲ୍ଲାର ଧାର୍କେ ଅଞ୍ଚଳରେ ବିମାନକୁ କିଛି ସମୟ ପାଇଁ ଅଟକାଇ ରଖିଥିଲେ। ଏହା ପରେ ଗୋଟିଏ ଇଞ୍ଜିନରେ ଦୀର୍ଘ-ଅନ୍ତର୍ଜାତୀୟ ଉଡ଼ାଣ ଜାରି ରଖିବା ଅସୁରକ୍ଷିତ ଭାବି ପାଇଲଟ୍ ଅବତରଣ ପାଇଁ ଅନୁମତି ମାଗିଥିଲେ । କାଠମାଣ୍ଡୁ ଫେରିବା କିମ୍ବା ଭୈରହୱା ବିମାନବନ୍ଦରରେ ଅବତରଣ କରିବା ପରିବର୍ତ୍ତେ ସ୍ୱଳ୍ପ ସମୟରେ କୋଲକାତାରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।
କୋଲକାତା ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି ଯେ ଜରୁରୀକାଳୀନ ପ୍ରୋଟୋକଲ ଅନୁସରଣ କରି ବିମାନଟି ଅପରାହ୍ନ ୩ ଟା ୦୩ରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଅବତରଣ ପରେ, ବିମାନର ଏକ ସମ୍ପୂର୍ଣ୍ଣ ବୈଷୟିକ ଯାଞ୍ଚ କରାଯାଉଛି ଏବଂ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ବିଚାର କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।