ନୂଆଦିଲ୍ଲୀ: ମହିଳାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଅଦାଲତ ପିଲା ଜନ୍ମ କରିବାକୁ ବାଧ୍ୟ କରିପାରିବେ ନାହିଁ । ମହିଳାଙ୍କ ପ୍ରଜନନ ସମ୍ପନ୍ଧ ଅଧିକାର ଏବଂ ସ୍ୱାଧୀନତା ସର୍ବୋପରି ଅଟେ । ଏକ ଗର୍ଭପାତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତତସହିତ ଉକ୍ତ ଯୁବତୀଙ୍କୁ ଗର୍ଭପାତ ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ସହିତ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ବି ୱି ନାଗରତ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜଣେ ଯୁବତୀଙ୍କ ଦ୍ୱାରା ଦାୟର ଗର୍ଭପାତ ଅନୁମତି ଆବେଦନର ଶୁଣାଣି କରିଛନ୍ତି । ବମ୍ବେ ହାଇକୋର୍ଟ ଯୁବତୀଙ୍କୁ କହିଥିଲେ ଯେ ସେ ପିଲାକୁ ଜନ୍ମ ଦେବେ ନ ଚେତ୍ ସ୍ୱଇଚ୍ଛାରେ କାହାକୁ ଦାନ କରିଦେବେ । ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଯୁବତୀ ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ କୌଣସି ମହିଳାଙ୍କ ବିନା ଅନୁମତିରେ ଅଦାଲତ ପିଲା ଜନ୍ମକରିବାକୁ ବାଧ୍ୟ କରିପାରିବେ ନାହିଁ । ଯୁବତୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଅବୈଧ ଗର୍ଭସ୍ଥ ଶିଶୁକୁ ଜନ୍ମ ଦେବା ଦ୍ୱାରା ସାମାଜିକ ଲାଞ୍ଛନାର ଶୀକାର ହେବାକୁ ପଡ଼ିବ । ଯାହା ଦ୍ୱାରା ଜଣଙ୍କୁ ଶକ୍ତ ମାନସିକ ଆଘାତ ଲାଗିବ । ଯେଉଁଥିରେ ଖଣ୍ଡପୀଠ ସହମତି ପ୍ରକାଶ କରି କହିଥିଲେ ଯେ ଆବେଦନକାରୀଙ୍କ ଅଧିକାରର ସୁରକ୍ଷା ଦେବା ଅନିବାର୍ଯ୍ୟ ଅଟେ । ଏହିଠାରେ ନ୍ୟାୟମୂର୍ତ୍ତି ନାଗରତ୍ନା ପ୍ରଶ୍ନ କରିଥିଲେ ଯେ ଗୋଟିଏ ଜନ୍ମ ହୋଇଥିବା ଶିଶୁ ଗୁରୁତ୍ୱ ଦେବା ନା ଯିଏ ଜନ୍ମ ଦେଉଛି ତାକୁ ଗୁରୁତ୍ୱ ଦେବା । ଯେତେବେଳେ ଡାକ୍ତର ଆଇନର କଠୋରତା ଯୋଗୁଁ ମନା କରନ୍ତି ସେତେବେଳେ ଜଣେ ମହିଳା ବାଧ୍ୟ ହୋଇ ପିଲା ଜନ୍ମ ଦିଅନ୍ତି ଯାହାକି ତାଙ୍କ ଜୀବନ ପ୍ରତି ବିପଦ ଅଟେ । ଦୁଇ ପକ୍ଷର ଶୁଣି ସାରିବା ପରେ ଖଣ୍ଡପୀଠ କହିଥିଲେ ପ୍ରଥମେ ଜାଣିବା ଦରକାର ଯୁବତୀଙ୍କର ଇଚ୍ଛା ଅଛି କିମ୍ବା ନାହିଁ । ଏଠି ସହମତି କିମ୍ବା ଅସହମତି ସମ୍ବନ୍ଧରେ ପ୍ରଶ୍ନ ଉଠୁ ନାହିଁ । ବାସ୍ତବତା ହେଉଛି ପିଲା ଅବୈଧ ଅଟେ ଏବଂ ମା ଜନ୍ମ ଦେବାକୁ ଚାହୁଁ ନାହାଁନ୍ତି । ଯାହାକି ମହିଳାର ପ୍ରଜନନ ଅଧିକାର ଅଟେ ।
ମାମଲାଟି ଏହା ଯେ, ଯୁବତୀ ଜଣକ ୧୭ ବର୍ଷ ବୟସରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ଅବୈଧ ସମ୍ପର୍କ ରଖି ଗର୍ଭ ଧାରଣ କରିଥିଲେ । ଏବେ ତାଙ୍କୁ ୧୮ ବର୍ଷ ଚାରି ମାସ । ସେ ଏବେ ୩୦ ସପ୍ତାହର ଗର୍ଭବତୀ ଅଛନ୍ତି । ସାମାଜିକ ନିନ୍ଦା ଅପବାଦ ପାଇଁ ସେ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବାରୁ ଗର୍ଭପାତ କରିବାକୁ ଚାହୁଁଛନ୍ତି । ମେଡ଼ିକାଲରେ ରିପୋର୍ଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦର୍ଶାଯାଇଛି । ଗର୍ଭପାତ ପାଇଁ କୌଣସି ଗମ୍ଭୀର ସମସ୍ୟା ନାହିଁ । କିନ୍ତୁ ୩୦ ସପ୍ତାହ ହୋଇଯାଇଥିବାରୁ ବମ୍ବେ ହାଇକୋର୍ଟ ଗର୍ଭପାତ ପାଇଁ ଅନୁମତି ଦେଇ ନ ଥିଲେ । ଶେଷରେ ସୁପ୍ରିମକୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ଏହା ସହିତ ମହିଳାଙ୍କୁ ଲିଖିତ ସମ୍ମତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତରେ ଚିକିତ୍ସା ସମାପ୍ତି (MTP) ଆଇନ ଅନୁଯାୟୀ, ଜଣେ ମହିଳା ୨୦ ସପ୍ତାହ ପର୍ଯ୍ୟନ୍ତ ନିଜର ଗର୍ଭପାତ ନିଷ୍ପତ୍ତି ନେଇପାରିବେ। ୨୦ ରୁ ୨୪ ସପ୍ତାହ ମଧ୍ୟରେ, ଏକ ମେଡିକାଲ ବୋର୍ଡର ମତାମତ ଆବଶ୍ୟକ । ୨୪ ସପ୍ତାହ ପରେ, କେବଳ ଏକ କୋର୍ଟ ଗର୍ଭପାତ ପାଇଁ ଅନୁମତି ଦେଇପାରିବେ। ଶେଷରେ, ସୁପ୍ରିମକୋର୍ଟ ଆବେଦନକୁ ଅନୁମତି ଦେଇ ୩୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣର ଚିକିତ୍ସା ସମାପ୍ତିକୁ ଅନୁମତି ଦେଇଥିଲେ ଏବଂ ଆବେଦନକାରୀଙ୍କୁ ଲିଖିତ ସମ୍ମତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।