ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମୃତ୍ତିକା ଦିବସ । ଜଳ ବିନା ମଣିଷ ଜୀବନର କଳ୍ପନା ଅସମ୍ଭବ ସେହିପରି ମାଟି ବା ମୃତ୍ତିକା ବିନା ମଧ୍ୟ ଜୀବନର କଳ୍ପନା କରାଯାଇ ପାରିବ ନାହିଁ। ମାଟି ବିନା ପୃଥିବୀର କୌଣସି ଅସ୍ତିତ୍ୱ ନାହିଁ । ଆଜିର ଦିନରେ କିଭଳି ମୃତ୍ତିକା ପ୍ରଦୂଷଣ ରୋକାଯାଇ ପାରିବ ଏହି ବିଷୟରେ ଲୋକଙ୍କୁ ସଚେତନା କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୫ ରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଏ। ୨୦୦୨ରେ ‘ଅନ୍ତର୍ଜାତୀୟ ମୃତ୍ତିକା ବିଜ୍ଞାନ ସ˚ଗଠନ’ ଏହି ଆନ୍ତର୍ଜାତିକ ଦିବସ ପାଳନର ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରସ୍ତାବକ୍ରମେ ୨୦୧୩ରେ ଜାତିସ˚ଘର ସାଧାରଣ ପରିଷଦ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଥିଲା ଏବଂ ୨୦୧୪ ଡିସେମ୍ବର ୫ରେ ପ୍ରଥମ ମୃତ୍ତିକା ଦିବସ ପାଳନ କରାଯାଇଥିଲା
ଭାରତ ହେଉଛି କୃଷି ପ୍ରଧାନ ଦେଶ । ସେଥିପାଇଁ ମୃତ୍ତିକାର ସୁରକ୍ଷା ନିହାତି ଜରୁରୀ । ବର୍ତ୍ତମାନ ସମୟରେ ଚାଷୀମାନେ ଅଧିକ ଚାଷ ପାଇଁ ଆଧୁନିକ ଶୈଳୀକୁ ଆପଣାଇଥାନ୍ତି । ଏଥିପାଇଁ ସେମାନେ କୃଷି କାର୍ଯ୍ୟରେ ଅତ୍ୟଧିକ ରାସାୟନିକ ସାର ଏବଂ କୀଟନାଶକ ଆଦି ବ୍ୟବହାର କରିଥାନ୍ତି। ଏହାଦ୍ୱାରା ମାଟିର ଉର୍ବତାର ହ୍ରାସ ପାଇଥାଏ । ଏହାର ପ୍ରଭାବ ସମସ୍ତ ମାନବଜାତି ଏବଂ ପଶୁପକ୍ଷୀଙ୍କ ଉପରେ ପଡୁଛି । ଏହାକୁ ରୋକିବା ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରାଯାଏ ।
ଗଛ ମାଟିରୁ ଜଳ ଓ ଆବଶ୍ୟକ ଉପାଦାନ ହାସଲ କରିଥାଏ। ପୃଥିବୀର ୮୦ ପ୍ରତିଶତ କୃଷିକ୍ଷେତ୍ର ବର୍ଷା ଜଳ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଅତିରିକ୍ତ ୨୦ ପ୍ରତିଶତ କୃଷିକ୍ଷେତ୍ରରେ ଜଳସେଚନ ପାଇଁ ଆମେ ସମୁଦାୟ ମଧୁରଜଳ ଉତ୍ତୋଳନର ୭୦ ପ୍ରତିଶତ ବ୍ୟବହାର କରିଥାଉ। ମୃତ୍ତିକାର ସ୍ବାସ୍ଥ୍ୟ ଓ ଜଳର ଉପଲବ୍ଧତା ଓତପ୍ରୋତ ଭାବେ ଜଡ଼ିତ। ମୃତ୍ତିକା ସୁସ୍ଥ ରହିଲେ ହିଁ ତାହା ଭଲଭାବେ ଜଳ ଧାରଣ କରିପାରେ। ଉତ୍ତମ ମୃତ୍ତିକା ଓ ଜଳ ପରିଚାଳନା ଦ୍ବାରା ବନ୍ୟା, ମରୁଡ଼ି ଓ ବାଲି ଝଡ଼ ଆଦିର ମୁକାବିଲା ଦିଗରେ ମାଟିର କ୍ଷମତା ବୃଦ୍ଧି ପାଇଥାଏ। ତେଣୁ ମୃତ୍ତିକାକୁ ସୁରକ୍ଷିତ ରଖିବା ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।