ନୂଆଦିଲ୍ଲୀ: ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡିଥିବା ଉପରାଷ୍ଟ୍ରପତି ପଦ ସେପ୍ଟେମ୍ବର ୯ରେ ପୂରଣ ହେବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ତାରିଖ ରହିଛି । ଏହା ପରେ ସେପ୍ଟେମ୍ବର ୯ ତାରିଖରେ ନିର୍ବାଚନ ହେବ । ସେହି ଦିନ ସନ୍ଧ୍ୟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।
ନିର୍ବାଚନ ଆୟୋଗ ପକ୍ଷରୁ ପୂରା ସିଡ୍ୟୁଲ ଜାରି କରାଯାଇଛି । ଏହାରି ଆଧାରରେ ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଧିସୂଚନା ଜାରି କରାଯିବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ । ଅଗଷ୍ଟ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ତାରିଖ ରହିଛି ।
ଯଦି ଏକରୁୁ ଅଧିକ ପ୍ରାର୍ଥୀଙ୍କ ନାମାଙ୍କନ ହୁଏ ତେବେ ନିର୍ବାଚନ ଅନୁଷ୍ଠିତ । ଏମିତି ସ୍ଥିତିରେ ସେପ୍ଟେମ୍ବର ୯ରେ ମତଦାନ କରାଯିବ । ଏହି ଦିନ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହି ଦିନ ସନ୍ଧ୍ୟାରେ ଭୋଟ୍ ଗଣତି କରାଯାଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ ଜୁଲାଇ ୨୧ ସନ୍ଧ୍ୟାରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ତତ୍କାଳ ପ୍ରଭାବରୁ ପଦ ଛାଡିଥିଲେ । ତାଙ୍କ ଇସ୍ତଫାକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଥିଲା । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଥିଲେ । କାହିଁକି ଜଗଦୀପ ଧନଖଡ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନି ।